ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅଲଚିକି ଲିପିର ଜୟ ଯାତ୍ରା

 


ଶହେ ବର୍ଷ ତଳେ ବିଲୁପ୍ତ ପ୍ରାୟ ସାନ୍ତାଳୀ ଭାଷା ଆଜି ବିଶ୍ବ ଦରବାରରେ ଗୌରବର ସହ ଦଣ୍ଡାୟମାନ । ଏହି ଭାଷାକୁ ମୃତ୍ଯୁ ସଂଜୀବନୀ ପ୍ରଦାନ କରିଛନ୍ତି ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ,  ଆଜି ବୈଶାଖ ପୁର୍ଣିମା ଗୁରୁ ଗୋମକେ  ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୦ ତମ ଜନ୍ମ ବାର୍ଷିକ  । ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ନିକଟସ୍ଥ  ଡାହାରଡ଼ିହି ଗ୍ରାମରେ ୧୯୦୫ ମସିହା ବୈଶାଖ ପୁର୍ଣିମାରେ  ପିତା ନନ୍ଦଲାଲ ମୁର୍ମୁ ମାତା ସଲମା ମୁର୍ମୁଙ୍କ କୋଳରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଜନ୍ମ ।                                              


ତାଙ୍କର ପ୍ରାଥମିକ ଶିକ୍ଷା ଗହ୍ମାରିଆ ୟୁ ପି ସ୍କୁଲରେ  ଯେତେବେଳେ ଆରମ୍ଭ କଲେ ଏବଂ ଓଡିଆ ଭାଷା ବୁଝିବାରେ ଅସହାୟ ହୁଅନ୍ତି ସେତେବେଳେ ସାନ୍ତାଳୀ ଭାଷାରେ ଶିକ୍ଷା ଆବଶ୍ୟକ ବୋଲି ତାଙ୍କ ମନ ଭିତରେ ଆନ୍ଦୋଳିତ ହୋଲିଥିଲା । 

ରଘୁନାଥ ମୁର୍ମୁ ୧୯୨୪- ୧୯୨୫ ରେ ବାରିପଦା ହାଇସ୍କୁଲ (ଏବେର ଏମ.କେ.ସି. ହାଇସ୍କୁଲ) ରେ ପଢିବା ସମୟରେ ସାନ୍ତାଳୀ ଭାଷା ପାଇଁ ସ୍ବତନ୍ତ୍ର ଲିପି ଅଲଚିକି ଲିପି ଉଦ୍ଭାବନ କଲେ । ସେଠାରେ ତାଙ୍କ ଯୁପି ସ୍କୁଲ ସହପାଠୀ ତଥା ସମ୍ପର୍କୀୟ ମାମୁଁ ସାଓନା ମୁର୍ମୁଙ୍କ ସହ ଦେଖା ହେଲା ସେଠାରେ ସାଓନା  ଶିକ୍ଷକ ପ୍ରଶିକ୍ଷଣରେ ଥିଲେ , ଉଭୟଙ୍କ  ମଧ୍ୟରେ ଭାଷା ଓ ସଂସ୍କୃତି ଉପରେ ଆନ୍ତରିକତା ବୃଦ୍ଧି ହେଲା । ରଘୁନାଥ ଏକ ଲିପି ବିନା ଭାଷାର ବିକାଶ ଅସମ୍ଭବ ବୋଲି ବୁଝିଲେ ଓ ଲିପି ଉଦ୍ଭାବନରେ ଲାଗି ପଡିଲେ । ସେ ଲିପିର ଅକ୍ଷର ଗଠନରେ ନିଜ ଅନୁଭୂତି, ପ୍ରକୃତିର ଆକୃତି, ଦୈନିକ ବ୍ୟବହୃତ ବସ୍ତୁ, ଏବଂ ବହଳଦାରେ ପଡୁଥିବା ସମୟରେ ସେଠାରେ ଥିବା ଜଣେ ମୁକ ଯୁବକର ଇଙ୍ଗିତ ଓ ଭାବବିନ୍ୟାସର ପ୍ରଭାବ ଅନ୍ତର୍ଭୁକ୍ତ କଲେ । ସେ ଅକ୍ଷରଗୁଡ଼ିକ ସାଓନାଙ୍କୁ ଦେଖାଇ ପରାମର୍ଶ ମଧ୍ୟ ନେଲେ ।


ବାରିପଦା ଛାଡିବା ସମୟରେ ରଘୁନାଥ ମୁର୍ମୁ ସାନ୍ତାଳୀ ଲିପିକୁ ପୂର୍ଣ୍ଣ ରୂପ ଦେଇଥିଲେ, କିନ୍ତୁ ଲୋକେ ଏହାକୁ ଗ୍ରହଣ କରିବେ କି ନାହିଁ ବୋଲି ସନ୍ଦେହ କରୁଥିଲେ। ସାଓନା  ମୁର୍ମୁ ଆଶ୍ୱାସନା ଦେଇଥିଲେ ଯେ ଏହି ନୂଆ ଲିପି ଆଗାମୀ ଦିନରେ ଲୋକେ ଗ୍ରହଣ କରିବେ। ୧୯୨୮  ମସିହାରେ ବଡାମତଳିଆରେ ଉଭୟ  ଆଲୋଚନା କଲେ, ସାଓନା  ମୁର୍ମୁ ରଘୁନାଥଙ୍କୁ ବିହାରର ଚେମେଞ୍ଜଜୁଳିରେ ଆୟୋଜିତ ଆଦିବାସୀ ସଭାକୁ ଯିବା ପାଇଁ ଉତ୍ସାହିତ କଲେ। ସେଠାରେ ରଘୁନାଥ ମୁର୍ମୁ ଏହି ପ୍ରଶ୍ନ ଉଠାଇଲେ – "ଆମ ଭାଷା ପାଇଁ ଲିପି ଆବଶ୍ୟକ ଅଛି କି ନାହିଁ?" – କିନ୍ତୁ ସ୍ରୋତାମାନେ ନୀରବ ରହିଥିଲେ। କେବଳ ଚକ୍ରଧରପୁରର ଜଣେ ଯୁବକ ଦ୍ୱାରା ସହମତି ମିଳିଥିଲା। ସମସ୍ତଙ୍କ ନୀରବତା ରଘୁନାଥ ମୁର୍ମୁଙ୍କୁ ବ୍ୟଥିତ କରିଥିଲା । ସଭା ପରେ ମତାଲ ମାଝୀ ଓ ମାସାଂ ମାଝୀ ଲିପି ପ୍ରଚାରରେ ସହଯୋଗର ପ୍ରତିଶ୍ରୁତି ଦେଲେ। ଏହା ଦେଖି ରଘୁନାଥ ମୁର୍ମୁ ପୁନର୍ବାର ଆଶା ନେଇ ଉଦ୍ୟମ ଜାରି ରଖିବାକୁ ଚେଷ୍ଟା କଲେ।


୧୯୩୩ ମସିହାରେ ରଘୁନାଥ ମୁର୍ମୁ ବଡାମତଳିଆ  ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଲେ, ଯେଉଁଠି ସାଓନା ମୁର୍ମୁ ପୂର୍ବରୁ ଶିକ୍ଷକତା କରୁଥିଲେ । ସେଠାରେ ହେଡ୍ ପଣ୍ଡିତ ସୁରେନ୍ ପତି ମଧ୍ୟ ତାଙ୍କ ବନ୍ଧୁ ଥିଲେ । ପରେ ସୁରେନ୍ ପତି ପଦୋନ୍ନତି ପାଇ ଅନ୍ୟ ସ୍କୁଲକୁ ଗଲେ ଏବଂ ରଘୁନାଥ ମୁର୍ମୁ ବିଦ୍ୟାଳୟର ହେଡ ପଣ୍ଡିତ ହେଲେ । ସାଓନା ଓ ରଘୁନାଥ ମିଶି ସାନ୍ତାଳୀ ଭାଷା ପ୍ରଚାର ପ୍ରସାରରେ ଲାଗିଗଲେ, ଯାହାର ପ୍ରଭାବରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ମଧ୍ୟ ବଢିଲା । ସେମାନେ ଅଞ୍ଚଳର ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ସାନ୍ତାଳୀ ଲିପି ବିଷୟରେ ଜଣାଇଲେ, ଅନେକେ ଏହାକୁ ସମ୍ମୁଖରେ ପ୍ରଶଂସା କଲେ ମଧ୍ୟ ପ୍ରଚ୍ଛଦରେ ଗ୍ରହଣ କରିଲେନାହିଁ । ଏଥିରୁ ହତାଶ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ଲେଖାଗୁଡିକ ଛାପି ଲୋକଙ୍କୁ ଦେଖେଇବା ଆବଶ୍ୟକ ବୋଲି ମନେ କଲେ । ତେଣୁ  ଗୋଟିଏ ଛାପା ମେସିନ ତିଆରି କରିବାକୁ ପ୍ରସ୍ତାବ ଦେଲେ । ଏଥିରେ ସାଓନା ମୁର୍ମୁ ସହମତ ହେଲେ, ଯଦିଓ ବ୍ୟୟ ବହୁଳ ଥିଲା । ଅବଶେଷରେ, ୧୯୩୮ ମସିହାରେ ରଘୁନାଥ ମୁର୍ମୁ ଏକ ଛାପା ମେସିନ ପ୍ରସ୍ତୁତ କଲେ । ସାଓନା ମୁର୍ମୁ  ଏଥିରେ ଖୁସି ହେଲେ ଓ ବାରିପଦା ପ୍ରଦର୍ଶନୀରେ ଏହାକୁ ଦେଖାଇବା ପାଇଁ ପ୍ରସ୍ତାବ ରଖିଲେ, ଯଦିଓ ପଣ୍ଡିତ ରଘୁନାଥ ହାକିମ ମାନେ ଏହାକୁ ପସନ୍ଦ କରିବେ କି ନାହିଁ ବୋଲି ସନ୍ଦେହ କରିଥିଲେ ।


ହଠାତ ଦିନେ  ସ୍କୁଲ ନିରୀକ୍ଷଣରେ ସୁପରିଟେଣ୍ଡେଣ୍ଟ  ଶ୍ରୀ ଶଚୀନ୍ଦ୍ରନାଥ ଦାସ ବିଦ୍ୟାଳୟ ପରିଦର୍ଶନ କରିଲେ । ସଂଯୋଗ କ୍ରମେ  ଅନ୍ୟାନ୍ୟ କଥା ସହ ସେ ପ୍ରଦର୍ଶନୀ ପାଇଁ କଣ ପ୍ରସ୍ତୁତି ଅଛି ବୋଲି ପଚାରିଲେ । ସାଓନା ମୁର୍ମୁ କହିଲେ ଯେ ପଣ୍ଡିତ ରଘୁନାଥ ମୁର୍ମୁ ଏକ ଛାପା ମେସିନ ତିଆରି କରିଛନ୍ତି ଯାହା ମାଧ୍ୟମରେ ସାନ୍ତାଳୀ ଭାଷାରେ ଲେଖା ଛାପିହେବ । ଏହା ଦେଖି ସୁପରିଟେଣ୍ଡେଣ୍ଟ ଖୁସି ହେଇ ସାଓନା ମୁର୍ମୁଙ୍କୁ ବାରିପଦାର ପ୍ରଦର୍ଶନୀକୁ ନିମନ୍ତ୍ରଣ ଦେଲେ । ବାରିପଦା ପ୍ରଦର୍ଶନୀରେ ମହାରାଜା ଭଂଜଦେବ, ଦେବାନ ସାହେବ ଓ ଅନ୍ୟ ହାକିମ ମାନେ ଆସି ପଣ୍ଡିତଙ୍କ ନୂଆ ଅକ୍ଷର ଓ ଭାଷା ପ୍ରତି ମୁହ ଖୋଲି ପ୍ରଶଂସା କଲେ । ରଘୁନାଥ ମୁର୍ମୁ ପୂର୍ବରୁ “ଉଚ୍ଚ ହେବାପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃ ଭାଷା”” ଏହାର ସାନ୍ତାଳୀ ଅନୁବାଦ ରଖିଥିଲେ ଯାହାକୁ ମହାରାଜା ଖୁବ ପ୍ରଶଂସା କରିଥିଲେ ।  ପ୍ରଦର୍ଶନୀ ଦେଖିବାକୁ ଆସିଥିବା ଲୋକମାନଙ୍କୁ ମଧ୍ୟ ଛାପା କାଗଜ ବଣ୍ଟାଗଲା ଓ ଏହି ଅଭିନବ ପ୍ରୟାସ ସମଗ୍ର ମୟୂରଭଞ୍ଜରେ ଚର୍ଚ୍ଚାର  ବିଷୟ ହେଲା । ଦୀର୍ଘ ୧୪ବର୍ଷ ପରେ ପଣ୍ଡିତ ରଘୁନାଥ ମୁର୍ମୁ ଯାହା ଦେଖିବାକୁ ଚାହୁଁ ଥିଲେ ତାହା ଦେଖିବାକୁ ପାଇଲେ ।ଏହା ଦେଖି ସେ ଖୁବ ଖୁସି ଓ ଉତ୍ସାହ ଅନୁଭବ କଲେ ।




ପଣ୍ଡିତ ରଘୁନାଥ ମୁର୍ମୁଙ୍କର ସ୍ବପ୍ନ ଥିଲା  ପ୍ରତ୍ୟକ ସାନ୍ତାଳୀ ଘରେ କିଭଳି ଏହି ଲିପି ପହଞ୍ଚିବ  ।  ସେହି ସମୟରେ  ବିହାର ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟରେ ଥିବା  ଜାମଜୋଳାର ମୁନିରାମ  ବାସ୍କେଙ୍କ ସହ ପଣ୍ଡିତ ରଘୁନାଥ ମୁର୍ମୁଙ୍କର  ପରିଚୟ ହେଲା । ମୁନିରାମ ବାବୁ ମଧ୍ୟ ଏହାର ପ୍ରଚାର ପ୍ରସାରରେ ଖୁବ ସହଯୋଗ କଲେ । 

ପଣ୍ଡିତ ରଘୁନାଥ  ମୁର୍ମୁ ଏବଂ ସାଓନା ମୁର୍ମୁଙ୍କ ପରାମର୍ଶ କ୍ରମେ ୧୯୩୯ ରେ ଏହି ଲିପିର ପ୍ରଚାର ପ୍ରସାର ତଥା ତଥା ସରକାରୀ ମାନ୍ୟତା  ପାଇଁ “ ଅଲ ସମିତି’ ଗଠନ କରଗଲା , ସାନ୍ତାଳୀରେ ଅଲ  କହିଲେ ଶିକ୍ଷା କୁ ବୁଝାଇ ଥାଉ । 

। ଏଥିରେ  ଶର୍ମା କୁମାର  ମାଝୀ ସଭାପତି,  ଉପ ସଭାପତି ଭାବରେ ଲକ୍ଷ୍ମଣ ମାଝୀ  ଏବଂ ସମ୍ପାଦକ ଭାବରେ ଦିନୁ ମୁର୍ମୁଙ୍କୁ ବଛାଗଲା , ଏହି ସମୟରେ ସଦ୍ୟ କଲେଜ ଫେରନ୍ତା ଯୁବକ ସୁନାରାମ ସୋରେନ ( ଓଡ଼ିଶାର ପ୍ରଥମ ଆଦିବାସୀ ମନ୍ତ୍ରୀ )  ଏବଂ ସୁନ୍ଦର ମୋହନ ହେମ୍ବ୍ରମ  ( ପରବର୍ତ୍ତୀ ସମୟରେ ବିଧାୟକ ହେଲେ )  ମଧ୍ୟ ଏଥିରେ ସାମିଲ ହେଲେ ।ଏହି ଅଲ  ସମିତି ଦ୍ବାରା ସର୍ବ ପ୍ରଥମେ ମହାରାଜାଙ୍କ ନିକଟରେ ସାନ୍ତାଳୀ  ଭାଷାରେ ଶିକ୍ଷା ପାଇଁ ଦାବିପତ୍ର ଦିଆଯାଇଥିଲା ସେହି ସମୟରେ ରାଇରଙ୍ଗପୁରରୁ ବାରିପଦାକୁ ସାଇକେଲରେ ଆସି ଦାବିପତ୍ର ଦିଆଯାଉଥିଲା , ବାରିପଦା ଟାଙ୍କିଟୋଲାର ନିରଞ୍ଜନ ମାଝୀ ମହାରାଜାଙ୍କ  କଚେରୀରେ କାମ କରୁଥିଲେ, ବାରିପଦାରେ ଦାବି ପତ୍ର ଦେବା ଆଦି ସମୟରେ ସହଯୋଗ କରୁଥିଲେ । 


କିଛି ଦିନ ପୁଣି ପଣ୍ଡିତ ରଘୁନାଥ ମୁର୍ମୁ ଶିଥିଳତା ଦେଖିବାକୁ ପାଇଲେ ସେ  ସ୍ଥିର କଲେ ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ନାଟକର  ମାଧ୍ୟମ ନେବେ, କାରଣ ସାନ୍ତାଳୀ ଲୋକମାନେ ସାଧାରଣତ ନାଚ ଗୀତ ବା ମାନୋରଞ୍ଜନ ପ୍ରିୟ ମଣିଷ  । ସେଥିପାଇଁ ସେ ତାଙ୍କର ପ୍ରଥମ ନାଟକ ‘ ବିଦୁ -ଚାନ୍ଦାନ’ ଲେଖିଲେ ଏବଂ ଗାଁ  ଗାଁ ବୁଲି ମଞ୍ଚସ୍ଥ  କରାଇଲେ । ବିଦୁ ଚାନ୍ଦାନ ହେଲେ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ସ୍ବପ୍ନ  ପ୍ରେରିତ ଦେବତା ଓ ଦେବୀ ।   ଗୁରୁ ଗୋମକେ ବହଳଦାରେ ପଢୁଥିବା ସମୟରେ ବିଦୁ ଏବଂ  ଚାନ୍ଦାନଙ୍କର ସ୍ବପ୍ନ ଦେଖିଥିଲେ , ଯେଉଁଥିରେ ସାନ୍ତାଳୀ ଭାଷା ର ବିକାଶ ପାଇଁ ସାଧନାରତ ହେବା ପାଇଁ ପ୍ରେରଣା  ପାଇଥିଲେ  । ସେଥି  ପାଇଁ ସାନ୍ତାଳୀ ଭାଷା ଓ ଅଲଚିକି  ଲିପିର  ପ୍ରଚାର ଓ ପ୍ରସାର ପାଇଁ  ଯେଉଁ ନାଟକ କଲେ ତାହାର ନାମକରଣ କଲେ “ବିଦୁ -ଚାନ୍ଦାନ” । 

 କିଛି ଦିନ ପରେ ଅଲ-ସମିତି ର ସଭାପତି ଶର୍ମା ମାଝୀଙ୍କ ଘରକୁ  “  ସାନ୍ତାଳୀ  ଭାଷାରେ ଶିକ୍ଷା ଅନେକ ବ୍ୟୟବହୁଳ ଏବଂ ପ୍ରଚାର ପ୍ରସାର ମଧ୍ୟ କଷ୍ଟସାଧ୍ୟ ତେଣୁ ବର୍ତ୍ତମାନ ସାନ୍ତାଳୀ ଭାଷା ପାଇଁ ଓଡିଆ, ବଙ୍ଗଳା, ଦେବନାଗରୀ ଏବଂ ରୋମାନ ଲିପି ବ୍ୟବହାର କରାଯାଉ ଯାହାଫଳରେ ସମସ୍ତେ ପଢିପାରିବେ ଏବଂ ବୁଝି ପାରିବେ” ଲେଖା ଥିବା ସରକରୀ ଚିଠି  ପହଞ୍ଚିଲା ।  ଏକଥା  ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପାଇଁ ଅସହ୍ୟ  ହେଇଗଲା , ସମଗ୍ର ସମାଜ ବିଦୁ ଚାନ୍ଦାନ ନାଟକରେ ବୁଡ଼ି ରହିଥିବା ବେଳେ ସେ ତତକ୍ଷଣାତ ଏକ ସଭାର  ଆହ୍ବାନ ଦେଲେ ସେ ସଭାରେ  ୧୫୦୦୦ ଲୋକ ଉପସ୍ଥିତ ଥିଲେ , ଏବଂ ଏଥର  ଦେବାନ ସାହେବଙ୍କଠାରେ ଅଭିଯୋଗ ଓ ଦାବି ପତ୍ର ଦେବା ପାଇଁ ସ୍ଥିର କରାଗଲା । ଏଥିପାଇଁ ସୁନ୍ଦର ମୋହନ ହେମ୍ବ୍ରମ, ସୁନାରାମ ସୋରେନ, ମାସାଂ ମାଝୀ ଏବଂ ସାଓନା ମୁର୍ମୁଙ୍କୁ ଦାୟୀତ୍ବ ନ୍ୟସ୍ତ କରଗଲା । ସେତେବେଳେ ଦେବାନ ସାହେବ ଥାନ୍ତି କେ ସି ନିୟୋଗୀ ବଙ୍ଗଳା ଭାଷାରେ କଥା ବାର୍ତ୍ତା କରନ୍ତି , ଅଭିଯୋଗ ଶୁଣିଲା ପରେ କହିଲେ ମୟୂରଭଞ୍ଜର କିଛି ଆପତ୍ତି ନହିଁ କିନ୍ତୁ ଯେହେତୁ  ସାନ୍ତାଳ ସମ୍ପ୍ରଦାୟ କେବଳ ମୟୂରଭଞ୍ଜ ନୁହଁ ପୋଡଶୀ ବିହାର ଏବଂ ବଙ୍ଗରେ ମଧ୍ୟ ବସବାସ କରନ୍ତି  ସେମାନଙ୍କର ମତାମତ ମଧ୍ୟ ନେବା ଆବଶ୍ୟକ ସମସ୍ତଙ୍କର ସହମତି ସୃଷ୍ଟି ହେଲେ ମୟୂରଭଞ୍ଜ ସରକାରଙ୍କର କୌଣସି ଆପତ୍ତି ନାହିଁ । 


ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପାଇଁ ଏହା ଆଉ ଏକ ସମସ୍ଯା ଭାବରେ ଛିଡା ହେଲା, ଏଥି ପାଇଁ କୋଠର ପରିଶ୍ରମ ଆବଶ୍ୟକ ବୋଲି କହିଲେ । ତାଙ୍କର ବିଦୁ ଚାନ୍ଦାନ ନାଟକଟି କ୍ରମାଗତ ଭାବରେ ବିହାର ଏବଂ ବଙ୍ଗରେ ମଧ୍ୟ ଖୁବ ଆଦୃତ ହେଉଥାଏ ,ଅନେକ ଲୋକ ସେ ବିଦୁ ଚାନ୍ଦାନ ନାଟକ ପୁସ୍ତକ ମାଗିବାରେ ଲାଗିଲେ । ୧୯୪୨ ରେ କାମଚଳା ଭାବେ ଓଡିଆ ଲିପିରେ କଟକ ଠାରେ ପ୍ରଥମେ ବିଦୁ ଚନ୍ଦାନ ନାଟକ ପୁସ୍ତକ ଛପାଗଲା । ବିଭିନ୍ନ ସଭା ସମିତି ଜାରି ରହିଲା ଏବଂ ବିଦୁ ଚାନ୍ଦାନ ନାଟକ ମଞ୍ଚସ୍ଥ ହେଉଥାଏ, ଲୋକଙ୍କ ମନରେ ସାନ୍ତାଳୀ ଭାଷାରେ ପଢିବା ପାଇଁ ଉତ୍ସାହ ସୃଷ୍ଟି ହେଉଥାଏ ।


ଯେତେବେଳେ ଅଲ ସମିତି କାର୍ଯ୍ୟ ସଫଳତାରେ ଚାଲିଥିଲା, ହଠାତ୍ ଏସ.ଆଇ. ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଡାକି ସମିତି ବିଷୟରେ ପଚାରିଲେ ଏବଂ ଏଥିପାଇଁ ସି.ଆଇ.ଡି. ରିପୋର୍ଟ ହସ୍ତଗତ ହେଇଥିବା କଥା କହି ସୁପେରିଟେନଡେଣ୍ଟଙ୍କୁ କୈଫିଅତ ଦେବାକୁ କହିଲେ। ଏଥିରେ ରଘୁନାଥ ଭୟଭୀତ ହେଲେ, କିନ୍ତୁ ସାଓନା ମୁର୍ମୁ ଆଶ୍ବାସନ ଦେଲେ ଯେ  ଓ ସୁନାରାମ ସୋରେନ ଙ୍କ ମାଧ୍ୟମରେ ମହାରାଜଙ୍କ ସହ କଥା ହେଲେ  ଏହି ସମସ୍ଯା  ଦୂର ହେବ। ତାପରେ ସେମାନେ ବାରିପଦା ଯାଇ ସୁପେରିଟେନଡେଣ୍ଟଙ୍କୁ ନାଟକ ବହି ଓ ନୂଆ ଲିପି ବିଷୟରେ ବୁଝାଇଲେ। ପରଦିନ ସେମାନେ ମହାରାଜଙ୍କ ସହ ସାକ୍ଷାତ କରି ଏ ବିଷୟରେ ବ୍ୟାଖ୍ୟା କଲେ। ମହାରାଜା ଗମ୍ଭୀରତାର ସହ ଶୁଣି କହିଲେ , "ଯାହା କରୁଛ କର, କିନ୍ତୁ ମୟୂରଭଞ୍ଜର ନାମ କେବେ ତଳେ ନ ପଡୁ," ଯାହାକୁ ସେମାନେ ସମ୍ମତି ପ୍ରଦାନ କଲେ। 



ଏହାପରେ ପଣ୍ଡିତ ରଘନାଥ ମୁର୍ମୁ ଟାଟା ନଗର ଯାଇ ମୁନିରାମ ବାସ୍କେଙ୍କ ସହଯୋଗରେ  ଚାନ୍ଦାନ ପ୍ରେସ ନାମରେ ପ୍ରେସ ଟିଏ ଠିଆ କଲେ  । ସେଇଠୁ ସାନ୍ତାଳୀ ପୁସ୍ତକ ମାନ ସବୁ ପ୍ରକାଶ ପାଇଲା , ସୁନ୍ଦର ମୋହନ ହେମ୍ବ୍ରମ ସାଗେନ ସାକାମ ନାମରେ ପତ୍ରିକା ପ୍ରକାଶ କଲେ 

ସ୍ୱାଧୀନତା ପରେ ୧୯୫୨ ମସିହାରେ ନିର୍ବାଚନ ହେଲା, ସୁନାରାମ ସୋରେନ ମନ୍ତ୍ରୀ ହେଲେ ଓ କିଛି ଜଣ ବିଧାୟକ ହେଲେ। ପଣ୍ଡିତ ରଘୁନାଥ ମୁର୍ମୁ ଅଲ ସମିତିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ହାଟବାଦଳାରେ ବୈଠକ ଡକି ଏହାକୁ ଆଦିବାସୀ ସୋସିଓ ଏଡୁକେସନାଳ ଆଣ୍ଡ କାଲ୍ଚୁରାଲ ଏସୋସିୟେସନ (ଆସେକା) ଭାବରେ ପୁନର୍ଗଠନ କଲେ। ୧୯୫୪ରେ ଏକ ଅନ୍ୟ ବୈଠକରେ ସରକାର ସାମ୍ନାରେ ସାନ୍ତାଳୀ ଶିକ୍ଷା ପାଇଁ ଦାବି କରିବାକୁ ନିଷ୍ପତି ହେଲା, ଏବଂ ରାଇରଙ୍ଗପୁରରେ ସେବାଶ୍ରମ ଶିକ୍ଷକଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ଦ୍ୱାରା ପ୍ରଶିକ୍ଷଣ ମିଳିଲା। କିନ୍ତୁ ତାହା ବେଶିଦିନ ଚାଲିଲା ନହିଁ , ଏଥିରେ ଅସନ୍ତୁଷ୍ଟ ହେଇ ପଣ୍ଡିତ ରଘୁନାଥ ମୁର୍ମୁ  ଓଡ଼ିଶା, ବିହାର, ବଙ୍ଗ, ଆସାମ ରେ ଆସେକା ଶାଖା ଖୋଲି ସାନ୍ତାଳୀ ଶିକ୍ଷାର ପ୍ରଚାର କଲେ। ଓଡିଶାର ରାଇରଙ୍ଗପୁରରେ ଆସେକାର ମୁଖ୍ୟ ଶାଖା ପଞ୍ଜିକୃତ କରାଇଲେ, ନୂତନ ଭାବରେ ପ୍ରେସ ବସିଲା ।  ବେସରକାରୀ ଭାବେ ତିନିଟି ରାଜ୍ୟରେ ଅଲଚିକି ଲିପିରେ ସାନ୍ତାଳୀ ଶିକ୍ଷାର ବିପ୍ଳବ ଚାଲିଲା। ଏହାର ଫଳସ୍ବରୂପ ୧୯୭୭ ମସିହା ଫେବୃଆରୀ ମାସ ୧୮ ତାରିଖରୁ ୨୦ ତାରିଖ ଯାଏଁ ଝାଡଗ୍ରାମର  ବେତକୁନ୍ଦରୀ ଡାହିରେ ଏକ ବିଶାଳ ସମାବେଶ ହେଲା ଯେଉଁଠି ସାନ୍ତାଳୀ ଭାଷା ଓ ଅଲଚିକି ଲିପିର ସରକାରୀ ମାନ୍ୟତା ପାଇଁ ଜାତୀୟ ଆନ୍ଦୋଳନ ପାଇଁ ଭିତ୍ତିଭୂମିଟିଏ ପଡିଲା । 



 ସେଦିନ ୧୯୮୨ ମସିହା  ଫେବ୍ରୁଆରୁ ମାସ ୧ ତାରିଖ ଥିଲା ସାନ୍ତାଳୀ ତିଥି ଅନୁସାରେ ମାଘ ମାସ ସପ୍ତମୀ ଦିନ  ପଣ୍ଡିତ ରଘୁନାଥ ମୁର୍ମୁ ଚିରଦିନ ପାଇଁ ସମଗ୍ର ସାନ୍ତାଳ ସମାଜକୁ ଶୋକାତୁର କଋି ଇହଲୀଳା ସମ୍ବରଣ କଲେ ଓ ସମଗ୍ର ସାନ୍ତାଳ  ସମାଜକୁ ଗୋଟାଏ  ପରିଚୟ ଦେଇ ଚାଲିଗଲେ । ୧୯୨୫ ରେ ତାଙ୍କ ଦ୍ବାରା ଉଦ୍ଭାବିତ ଲିପି ୧୦୦ ବର୍ଷରେ ପଦାର୍ପଣ କଲା,  ଏହି ମହାଯାତ୍ରାରେ ୨୦୦୩ ରେ କେନ୍ଦ୍ର ସରକାରଙ୍କ ଦ୍ବାରା ସାନ୍ତାଳୀ ଭାଷାକୁ ସରକାରୀ ମାନ୍ୟତା , ୨୦୦୮ ରେ   ଅଲକିକି ଲିପି  ୟୁନିକୋଡରେ ସ୍ଥାନ , ୨୦୧୮ ରେ ସାନ୍ତାଳୀ ଭାଷାରେ ଉଇକିପିଡିଆ , ୨୦୨୪ ରେ ସାନ୍ତାଳୀ ଗୁଗୁଲ ଅନୁବାଦ, ସ୍ବର ଅନୁଭବ , ଏହି ଭାଷା ଏବଂ ଲିପିରେ  ସିଭିଲ୍ ସର୍ଭିସ ଭଳି ପ୍ରଶାସନିକ ପରୀକ୍ଷା, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର  , ଆଜିର ଏ  ଆଇ  ଯୁଗରେ ଅଲଚିକି ଲିପିରେ ଚାଟ ଜିପିଟିରେ ବାର୍ତ୍ତାଳାପ କରି ହେଉଛି, ସାନ୍ତାଳୀ ଭାଷାରେ ଅନେକ ପି ଏଚ ଡି କରୁଛନ୍ତି, ବିଦେଶରୁ ଅନେକ ଆସି ଏ ଭାଷା ବାବଦରେ ଗବେଷଣା ଚାଲିଛି ଏ ସବୁ  ଗୋଟିଏ ଗୋଟିଏ ଉଲ୍ଲେଖନୀୟ ଉପଲବ୍ଧି। ଆଜି ଯେତେବେଳେ ପଛକୁ ଫେରି ୧୯୨୫ ରେ ବାରିପଦା  ହାଇସ୍କୁଲ କଥା ଭାବିଲେ କଳ୍ପନା କରିହୁଏ ନାହିଁ, ଏକ ଅବାସ୍ତବ କଳ୍ପନାକୁ ବାସ୍ତବର ରୂପ ଦେଇଛନ୍ତି ପଣ୍ଡିତ ରଘୁନାଥ  ମୁର୍ମୁ   । ଏହି ମହାଯାତ୍ରାର ମହାନାୟକ ହେଲେ ପଣ୍ଡିତ ରଘୁନାଥ ମୁର୍ମୁ  । ସାନ୍ତାଳୀ ଲିପିର ୧୦୦ ବର୍ଷର ପଦାର୍ପଣରେ ସରକାରୀ ସ୍ତରରେ ଏହାକୁ ପାଳନ କରାଯାଉଛି ,   ଓଡ଼ିଶାରେ ସରକାରୀ ସ୍ତରରେ ସାନ୍ତାଳୀ ଶିକ୍ଷାର ଅନେକ କାମ  ରହିଯାଇଛି , ସ୍କୁଲ ଏବଂ କଲେଜରେ ଏବେ ସୁଦ୍ଧା ସାନ୍ତାଳୀ ବିଷୟରେ ପାଠ ପଢିବାର ବ୍ୟବସ୍ଥା କରାଯାଇ ପାରି ନାହିଁ , ଏହାର ବ୍ୟବସ୍ଥା କରାଯାଇ ପାରିଲେ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳୀ ହେବା ସହ ତାଙ୍କ ଲିପି ପ୍ରତି ପ୍ରକୃତ ସମ୍ମାନ ହେବ ।  


Comments