ଏକ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର ପାଇଥିବା
ଭାଷା ହେଉଛି ସାନ୍ତାଳୀ ଭାଷା , ୧୯୨୫ ମସିହା ପର୍ଯ୍ୟନ୍ତ ସାନ୍ତାଳୀ ଭାଷା କେବଳ କଥିତ ଭାଷା ଭାବରେ
ଥିଲା । ଯଦିବା ୧୯୨୨ ବେଳକୁ ଖ୍ରୀଷ୍ଟିୟ ପାଦ୍ରୀ
ପି. ଓ. ବୋଡିଂ ସାନ୍ତାଳୀ ଭାଷାର ଓ ସଂସ୍କୃତି ନେଇ
ଗବେଷଣା କରୁଥିଲେ ଏବଂ ସାନ୍ତାଳୀ ଭାଷାକୁ ପରିପ୍ରକାଶ କରିବା ପାଇଁ ରୋମାନ ଲିପି ବ୍ୟବହାର କରୁଥିଲେ କିନ୍ତୁ ରୋମାନ ଲିପି
ସାନ୍ତାଳୀ ସମାଜର ଜନମାନସରେ ଏତେଟା ଆଦୃତ ହୋଇପାରିନଥିଲା
। ୧୯୨୫ ମସିହାରେ ଗୁରୁ ଗୋମକେ ପଣ୍ଡିତ ରଘୁନାଥ
ମୁର୍ମୁଙ୍କ ଦ୍ବାରା ଏହି ଭାଷାପାଇଁ ଲିପି ଉଦ୍ଭାବନ
କରିବା ସହ ଏକ ନୂଆ ଯୁଗର ଅୟାରମ୍ଭ ହେଲା ।
ପଣ୍ଡିତ ରଘୁନାଥ
ମୁର୍ମୁ ୧୯୦୫ ମସିହା ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିକଟସ୍ଥ
ଡାହାରଡିହି ଦାଣ୍ଡବୋଷ ଗ୍ରାମରେ ପିତା ନନ୍ଦଲାଲ ମୁର୍ମୁ ମାତା ସଲମା ମୁର୍ମୁଙ୍କ କୋଳରେ ଜନ୍ମ
ଗ୍ରହଣ କରିଥିଲେ । ଗୁରୁ ଗୋମକେ ତାଙ୍କ ପ୍ରାଥମିକ ଶିକ୍ଷା ନିଜ ଗ୍ରାମ ନିକଟରେ ଥିବା ଗହ୍ମାରିୟା ପ୍ରାଥମିକ ବିଦ୍ୟାଳୟରେ
ଆରମ୍ଭ କରିବା ସମୟରେ ମାତୃଭାଷାରେ ପାଠ ପଢା ହେଉନଥିବାରୁ
ସେ
ପାଠ ବୁଝିବାରେ ଅନେକ କଷ୍ଟ ଅନୁଭବ କଲେ ଯେଉଁଥିପାଇଁ ସେହି ସମୟରୁ ହିଁ ନିଜ ମାତୃ ଭାଷା ପାଇଁ ଲିପି ଟିଏ ବାହାର
କରିବାକୁ ଦୃଢମନା ହୋଇଥିଲେ । ଅନେକ ପ୍ରଚେଷ୍ଟା ଏବଂ ଗବେଷଣା ପରେ ୧୯୨୫ ମସିହାରେ ସାନ୍ତାଳୀ ଭାଷା
ପାଇଁ ସ୍ବତନ୍ତ୍ର ଲିପି “ଅଲ୍ ଚିକି” ଲୋକଲୋଚନକୁ ଆଣିଲେ , ଯାହାର ପୁର୍ଣ୍ଣାଙ୍ଗ ରୂପ ୧୯୩୯
ମସିହାରେ ମୟୂରଭଞ୍ଜ ମହାରାଜା ଶ୍ରୀ ପ୍ରତାପ ଚନ୍ଦ୍ର ଭଞ୍ଜଙ୍କ ପ୍ରତ୍ସାହନରେ ବାରିପଦା ରାଜ୍ୟ ପ୍ରଦର୍ଶନୀରେ
ପ୍ରଦର୍ଶିତ ହୋଇଥିଲା ।
ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ତାଙ୍କ ଜୀବଦ୍ଦଶାରେ ଶେଷନିଶ୍ବାସ ଥିବା ଯାଏଁ ସାନ୍ତାଳୀ ଭାଷାକୁ ଏବଂ ଏହାର ଲିପିକୁ ଘରେ ଘରେ ପହଞ୍ଚାଇବା
ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ , ଏଥିପାଇଁ ସେ ଓଡିଶା, ପଶ୍ଚିମବଙ୍ଗ, ବିହାର ଇତ୍ୟାଦି ରାଜ୍ୟ
ନିଜ ଆନୁଗତ୍ୟ ମାନଙ୍କ ସହ ରିତିମତ ସଚେତନତା ପାଇଁ ଭ୍ରମଣ କରୁଥିଲେ । ୧୯୮୨ ମସିହା ଫେବ୍ରୁଆରୀ ୧
ତାରିଖ ଦିନ ସେ ତାଙ୍କ ଅସଂଖ୍ୟ ଆନୁଗତ୍ୟ ଏବଂ ପରିବାରକୁ ଶୋକାତୁର କରି ଇହଲିଳା ସମ୍ବରଣ କଲେ ।
ସେ ଜୀବିତଥିବା ବେଳେ ଏବଂ ମରୋଣତ୍ତୋର ଭାବରେ ତାଙ୍କୁ ଅନେକ ସମ୍ମାନ ମିଳିଛି କିନ୍ତୁ ସାନ୍ତାଳୀ
ଭାଷା କିମ୍ବା ତାଙ୍କ ଦ୍ବାରା ସୃଷ୍ଟ ଲିପିକୁ ସେ ଜୀବିତ ଥିବାବେଳେ କୌଣସି ସରକାରୀ ମାନ୍ୟତା ମିଳିଲା ନାହିଁ। ସେଥିପାଇଁ ତାଙ୍କ ଦ୍ବାରା ଆହୁତ ସାନ୍ତାଳୀ ଭାଷା ଆନ୍ଦୋଳନ ତାଙ୍କ
ସ୍ବର୍ଗାବାସ ପରେ ମଧ୍ୟ ବଳବତ୍ତର ରହିଲା ।
ସାନ୍ତାଳୀ
ଭାଷା ଆନ୍ଦୋଳନର ଦୀର୍ଘ ଦାବୀ ପରେ ୨୦୦୩ ମସିହା ଡିସେମ୍ବର ମାସ ୨୨ ତାରିଖ ଦିନ ସମ୍ବିଧାନର
୯୨ତମ ସଂଶୋଧନ ବିଲ୍ ଲୋକସଭାରେ ଏବଂ ୨୩ ତାରିଖ ଦିନ ରାଜ୍ୟସଭାରେ ଗୃହୀତ ହୋଇଥିଲା ଏବଂ ସର୍ବ ସମ୍ମତିକ୍ରମେ ଉଭୟ ଗୃହରେ ବିଲଟି ପାସ୍ ହେବା
ଫଳରେ ସାନ୍ତାଳୀ ଭାଷା ସହ ବୋଡୋ, ଡୋଗ୍ରୀ, ମୈଥିଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ
ଅନ୍ତର୍ଭୁକ୍ତ କରାଗଲା । ଏହି ବିଲ୍ ୭ ଜାନୁଆରୀ ୨୦୦୪ ରିଖ ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ବିଧିବଦ୍ଧ
ଭାବରେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଲା ଏବଂ ଭାରତର ଅନ୍ୟତମ ସରକାରୀ
ଭାଷା ଭାବରେ ମାନ୍ୟତା ପାଇଲା ।
ଅନେକ ଭାବି
ନେଇଥିଲେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ ହେବା ସହ ସ୍କୁଲ କଲେଜରେ ଶିକ୍ଷା
ପ୍ରଦାନ କରାଯିବା ସହ ସାନ୍ତାଳୀ ଅଧ୍ୟୂଷିତ ଅଞ୍ଚଳରେ ସରକାରଙ୍କର ମୌଳିକ ସୂଚନା ଆଦି ସାନ୍ତାଳୀ ଭାଷାରେ
ଉପଲବ୍ଧ ହେବ । ମାତ୍ର ସେଭଳି ବେଶେଷ କିଛି ହେଲା ନାହିଁ ତେଣୁ ଉଭୟ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡରେ
କିଛି ବର୍ଷରେ ଅନ୍ତରାୟ ପରେ ପୁଣି ଅନ୍ଦୋଳନ ଜୋର ଧରିଲା । ତିନିରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗରେ
ଏହି ଆନ୍ଦୋଳନ ଅତ୍ୟନ୍ତ ପ୍ରଖରଥିଲା ଫଳରେ ଏହି ରାଜ୍ୟରେ ଆଜି ପ୍ରାଥମିକ ଠାରୁ ବିଶ୍ବବିଦ୍ୟାଳୟ
ଯାଏଁ ସାନ୍ତାଳୀ ଭାଷାରେ ପାଠ ପଢିବାର ବ୍ୟବସ୍ଥା ସହ ବିଭିନ୍ନ ସରକାରୀ ସୂଚନା ମଧ୍ୟ ସାନ୍ତାଳୀ ଭାଷାରେ ପ୍ରଦାନ କରାଯାଉଅଛି , ଝାଡଖଣ୍ଡ ରାଜ୍ୟରେ ପଶ୍ଚିମବଙ୍ଗ
ଭଳି ସୁବିଧା ଏବଂ ବ୍ୟବସ୍ଥା ନ ରହିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶ୍ରେଣୀରୁ ସାନ୍ତାଳୀ ଶିକ୍ଷା ପାଠ୍ୟ
ଖସଡାରେ ସାମିଲ ଅଛି, ଏହା ସହ ସାନ୍ତାଳୀ ବହୁଳ ଅଞ୍ଚଳ ମାନଙ୍କରେ ସରକାରୀ ନାମ ଫଳକ ,ବିଜ୍ଞାପନ ଆଦି ହିନ୍ଦୀ ସହ ସାନ୍ତାଳୀ ଭାଷା ବ୍ୟବହାର କରାଯାଉଅଛି
। କିଛି ନିର୍ଦ୍ଧିଷ୍ଟ ରେଳ ଷ୍ଟେଷନ ଗୁଡିକରେ ଘୋଷଣା ମଧ୍ୟ ସାନ୍ତାଳୀ ଭାଷାରେ କରାଯାଉଅଛି । ଏ
ସବୁ ଦୃଷ୍ଟିକୋଣରେ ସାନ୍ତାଳୀ ଲିପିର ଜନକ ଗୁରୁଗୋମକେଙ୍କ ଓଡିଶା ମାଟିରେ ସାନ୍ତାଳୀ ଭାଷା ଅନେକ
ପଛରେ ପଡିଯାଇଛି । ଓଡିଶାରେ ବହୁ-ଭାଷୀ ଶିକ୍ଷା ଏବଂ ବିଶ୍ବବିଦ୍ୟାଳୟ ସ୍ତରରେ ଶିକ୍ଷାରେ ଏହା ସୀମିତ
ରହିଯାଇଛି ।
ଏପରି ନୁହଁ
ଯେ ଓଡିଶାର ଶିକ୍ଷା ବ୍ୟବସ୍ଥା ଏବଂ ସରକାରୀ କ୍ଷେତ୍ରରେ ସାନ୍ତାଳୀ ଭାଷାକୁ କାର୍ଯ୍ୟକାରୀ କରିବା
ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇନାହିଁ ଅଥବା ଯୋଗାଯୋଗ ହୋଇନାହିଁ । ସମ୍ବିଧାନର ଅଷ୍ଟମ
ଅନୁଚ୍ଛେଦରେ ସାନ୍ତାଳୀ ଭାଷା ସାମିଲ୍ ହେବା ପୂର୍ବରୁ ହିଁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୦୨ ରେ ଆଦିବାସୀ ଉପଦେଷ୍ଟା ପରିଷଦର ଅନୁମୋଦନ କ୍ରମେ
ପ୍ରାଥମିକ ଶିକ୍ଷାରେ ସାନ୍ତାଳୀ ଭାଷାରେ ଶିଷା ପ୍ରଦାନ ପାଇଁ ପ୍ରଫେସର. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ
ଅଧ୍ୟକ୍ଷତାରେ ପ୍ରଫେସର ଖଗେଶ୍ବର ମହାପାତ୍ର ଏବଂ ଡ. ମହେନ୍ଦ୍ର କୁମାର ମିଶ୍ରଙ୍କୁ ନେଇ ଏକ ବିଶେଷଜ୍ଞ
କମିଟି ଗଠନ ହୋଇଥିଲା । ଏହି କମିଟି ୧୨/୧୧/୨୦୦୫ ରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ତାଙ୍କ ରିପୋର୍ଟ
ହସ୍ତାନ୍ତର କରିଥିଲେ । ଠିକ୍ ସେହିଭଳି ମାଧ୍ୟମିକ ଶିକ୍ଷା ସ୍ତରରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ
ପ୍ରଚଳନ ପାଇଁ ତତ୍କାଳୀନ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଡ. ଶୁଭକାନ୍ତ ବେହେରା, ଡ. ହରିହର
ସାହୁ , ସମ୍ପାଦକ ଡ. ଏଚ୍. ଏନ୍. ଦାଶ, ପ୍ରଫେସର
କେ. ସି. ବେହେରା ,ଡ. ମନ୍ମଥ ନାଥ କୁଣ୍ଡୁ, ମୟୂରଭଞ୍ଜ ମଣ୍ଡଳ ସ୍କୁଲ ଇନସ୍ପେକଟର ଶ୍ରୀଯୁକ୍ତ ଜର୍ଜ ଲାକ୍ରା ନେଇ ଏକ କମିଟି ଗଠନ
ହୋଇଥିଲା । ଏହି କମିଟି ୩୧/୦୧/୨୦୦୬ ରିଖ ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ । ଏ
ଉଭୟ କମିଟି ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ପାଇଁ ସକାରତ୍ମକ ରିପୋର୍ଟ ପ୍ରଦାନ କରିଥିଲେ ।
ପତ୍ର ସଂଖ୍ୟା AISWA /G.S. 48 ତାରିଖ ୧୯/୦୫/୨୦୦୫ ଏବଂ ପତ୍ର ସଂଖ୍ୟା G.S 144 ତାରିଖ
୧୩/୧୨/୨୦୦୫ ମାଧ୍ୟମରେ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସଂଘ ଏବଂ ୦୨/୧୧/୨୦୦୫ ରିଖ ତତ୍କାଳୀନ ମୟୂରଭଞ୍ଜ
ସାଂସଦ ତଥା ବର୍ତ୍ତମାନର ରାଜସ୍ବ ତଥା ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ମାଧ୍ୟମିକ
ଶିକ୍ଷା ପରିଷଦ, ଓଡିଶା ନିକଟରେ ମାଧ୍ୟମିକ ସ୍ତରରେ ପାଠ୍ୟକ୍ରମ ପ୍ରଚଳନ ପାଇଁ ଦାବି ଜଣାଇଥିଲେ ।
୦୨/୧୨/୨୦୦୯
ରିଖ ଓଡିଶା ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ
ଜେନାଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜର ସମସ୍ତ ବିଧାୟକ, ଆନନ୍ଦପୁର ବିଧାୟକ, କେନ୍ଦୁଝର ବିଧାୟକ, ବିଭିନ୍ନ
ସାମାଜିକ ଅନୁଷ୍ଠାନର ପ୍ରତିନିଧି, OPEPA, TE & SCERT ତଥା ସ୍କୁଲ ଏବଂ ଗଣଶିକ୍ଷା ବିଭାଗର
ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ବୈଠକରେ ପ୍ରାରମ୍ଭିକ ଭାବେ ପ୍ରାଥମିକ
ଶ୍ରେଣୀ ଗୁଡିକରେ ସାନ୍ତାଳୀ ପାଠ୍ୟକ୍ରମର ପ୍ରଚଳନ ଏବଂ କ୍ରମାନ୍ବୟ ଭାବରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ
ମାନଙ୍କରେ ପାଠ୍ୟକ୍ରମ ସାମିଲ୍ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ଏଥିରେ ସ୍କୁଲ ଏବଂ ଗଣଶିକ୍ଷା
ବିଭାଗର ମୁଖ୍ୟ ସଚିବ ବନ୍ଦନା କୁମାରୀ ଜେନା ସାନ୍ତାଳୀ
ଭାଷାକୁ ଭାଷାଗତ ସଂଖ୍ୟାଲଘୁ ( Linguistic Minority) ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଗୃହ
କମିଟିକୁ ସୁପାରିଶ୍ କରିବା ପାଇଁ ପ୍ରସ୍ତାବ ଦେଇଥିଲେ
।
ପୁନର୍ବାର
୦୬/୦୮/୨୦୧୦ ରିଖ ଓଡିଶା ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ
ସେଇ ସମାନ ବୈଠକ ହୁଏ ଏବଂ ସମାନ ପ୍ରତିଶ୍ରୁତି ମିଳେ ।
୦୬/୦୩/ ୨୦୧୨
ରିଖ ପତ୍ର ସଂଖ୍ୟା ୨୭୬ (syllabus) / IV-B-04/2010 ମାଧ୍ୟମରେ ମାଧ୍ୟମିକ ଶିକ୍ଷା ପରିଷଦ-ଓଡିଶା
,ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସଂଘ ୦୪/୦୨/୨୦୧୨ ରିଖ ଦେଇଥିବା ପ୍ରତ୍ୟୁତ୍ତରରେ କହିଥିଲେ “ମାଧ୍ୟମିକ ସ୍ତରରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ପ୍ରଚଳନ
କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଆବଶ୍ୟକ । ରାଜ୍ୟ ସରକାର ଏହି ପାଠ୍ୟକ୍ରମ ପାଇଁ ପଦ ପଦବୀ ସୃଷ୍ଟି କରିବା ଦରକାର ଯାହାବିନା ପରିଷଦ ସ୍ବାଧିନ
ଭାବରେ ନିଷ୍ପତି ନେବା ପାଇଁ ଅସମର୍ଥ । “
୨୯/୧୨/୨୦୧୪
ରିଖ ତତ୍କାଳୀନ ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡିଙ୍କ ନେତୃତ୍ବରେ ମୟୂରଭଞ୍ଜର
ବିଧାୟକ , ସାନ୍ତାଳୀ ଲେଖକ, ସାମାଜିକ ଅନୁଷ୍ଠାନ ମାନଙ୍କର ପ୍ରତିନିଧି ମଣ୍ଡଳ ମାନ୍ୟବର ମୁଖ୍ୟମନ୍ତ୍ରୀ
ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରନ୍ତି , ଏହି ସାକ୍ଷାତକାରରେ ସାନ୍ତାଳୀ ଭାଷାକୁ ଓଡିଶାର
ସ୍କୁଲ କଲେଜ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ସହ, ସାନ୍ତାଳୀ ଭାଷାକୁ ଭାଷାଗତ ସଂଖ୍ୟାଲଘୁ ମାନ୍ୟତା ଏବଂ ରାଜ୍ୟ ସରକାର ସାନ୍ତାଳୀ
ଏକାଡେମୀଟିଏ ପ୍ରତିଷ୍ଠା କରିବା ପାଇଁ ଦାବି କରନ୍ତି ।
୧୬/୧୨/୨୦୧୮
, ୧୭/୧୨/୨୦୧୮ ରିଖ ଏବଂ ୨୧/୧୧/୨୦୧୯ ରିଖ ନିଖିଳ ଓଡିଶା ସାନ୍ତାଳୀ ଛାତ୍ର ଅଭିଭାବକ କ୍ରିୟାନୁଷ୍ଠାନ
କମିଟି ନେତୃତ୍ବରେ ରାଜ୍ୟର ୯ ଗୋଟି ଶୀର୍ଷ ଅନୁଷ୍ଠାନ ମିଳିତ ଭାବରେ ବିଧାନ ସଭା ସମ୍ମୁଖରେ ଧାରଣା
ଦେଇଥିଲେ ।
ଏହା ଭିତରେ
ଅନେକଥର ସାନ୍ତାଳୀ ଅଧ୍ୟୁଷିତ ଅଞ୍ଚଳର ସାନ୍ତାଳୀ ଭାଷା ଆନ୍ଦଳୋନକାରୀ ମାନେ ସ୍ଥାନୀୟ ଜିଲ୍ଲାପାଳ
, ଉପଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ଦେଇଛନ୍ତି , ଅନେକ ସ୍କୁଲ କଲେଜରେ ତାଲା ପଡିଛି, ରାଜରାସ୍ତାରେ
ଧାରଣାରେ ବସିଛନ୍ତି କିନ୍ତୁ ୧୯୨୫ ରୁ ୨୦୨୦ ସୁଦ୍ଧା
୯୫ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପ୍ରଚେଷ୍ଟା ଫଳବ୍ରତୀ ହୋଇନାହିଁ ।
କୌଣସି ଭାଷାକୁ ସମ୍ବିଧାନ ସ୍ବୀକୃତି ସେ ଭାଷାର ସଞ୍ଜୀବନୀ
ନୁହେଁ । ସାନ୍ତାଳୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ଯଦି ମନେ କରୁଛୁ ଭାଷାଟି
ଆଉ ବିପଦ ସଙ୍କୁଳ ଅବସ୍ଥାରେ ନାହିଁ ତେବେ ଆମେ ସମସ୍ତେ ଭ୍ରମରେ ଅଛୁ । କେବଳ ସଂଗ୍ରହାଳୟ କିମ୍ବା
ଗବେଷକର ପୃଷ୍ଠା ଭିତରେ ବିଚରଣ କରୁଥିବା ଭାଷା ମାନଙ୍କୁ କଦାପି ସମ୍ପୁର୍ଣ୍ଣ ଜୀବିତ ଭାଷା କୁହାଯାଇନପାରେ
। ଓଡିଶାରେ ସାନ୍ତାଳୀ ଭାଷାର ପ୍ରତ୍ସାହନ ପ୍ରତୀତ୍କାମକ ବୋଲି ମନେ ହୁଏ । ସରକାର ଗୁରୁ ଗୋମକେ
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ହସପିଟାଲ ମେଡିକାଲ କଲେଜ, ସରକାରୀ ଇଚ୍ଛାଧିନ ଛୁଟି ଘୋଷଣା
କଲେ ,ଅନେକ ନେତା ମନ୍ତ୍ରୀ ସାନ୍ତାଳୀ ଭାଷାରେ ଶପଥ
ପାଠ କରି ବାଃ ବାଃ ନେଲେ, ଏ ସବୁ ଗୁରୁ ଗୋମକେଙ୍କ ପାଇଁ ନିଶ୍ଚିତ ଭାବରେ ସମ୍ମାନନୀୟ ସ୍ବାଗତଯୋଗ୍ୟ
ପଦକ୍ଷେପ କିନ୍ତୁ କୌଣସି ଭାଷା ଯଦି ସେ ସମାଜର ଜୀବନଧାରାରେ ସହାୟକ ହୁଏ ନାହିଁ କିମ୍ବା ସେଥିପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ ହୁଏ ନାହିଁ
ତେବେ ସେ ଭାଷାର ପୁରୋଧା ମାନଙ୍କର ପ୍ରତିମୂର୍ତ୍ତି ଗଢି ପୂଜା କରିବାର କୌଣସି ମୂଲ୍ୟ ନାହିଁ ।
ସାନ୍ତାଳୀ ଭାଷାପ୍ରେମୀ ମାନେ ନିଜ ଭାଷାର ଅଧିକାର ପାଇଁ ପାରୁପର୍ଯ୍ୟନ୍ତ ପ୍ରୟାସ କରିସାରିଲେଣି
ଏବେ ନିର୍ବାଚିତ ପ୍ରତିନିଧି , ସରକାରୀ ଅମଲା ମାନଙ୍କର ଦାୟିତ୍ବ କିଭଳି ସରକାରୀ ନାଲି ଫିତାତଳେ ଗୁରୁଗୋମକେଙ୍କର ସ୍ବପ୍ନକୁ
ସାକାର କରିବେ ନଚେତ ଭାଷାପାଇଁ କବରଟିଏ ପ୍ରସ୍ତୁତ କରିବେ !!!!
Comments
Post a Comment