ସମାଜ ସଂସ୍କାରକ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ
ନିଜକୁ ପରିପ୍ରକାଶ କରିବାର ଶ୍ରେଷ୍ଠ ମାଧ୍ୟମ ହେଉଛି ମାତୃଭାଷା ଏବଂ ମାତୃଭାଷାଟି ସ୍ବଚ୍ଛ ସାବଲିଳ ଭାବରେ ପରିପ୍ରକାଶ ହେବାର ମାଧ୍ୟମ ହେଉଛି ନିଜସ୍ବ ସ୍ବତନ୍ତ୍ର ଲିପି । ଏ କଥାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ସାନ୍ତାଳୀ ଭାଷାରେ ନବଜାଗରଣ ସୃଷ୍ଟି କର୍ତ୍ତା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ । ୧୯୦୫ ମସିହା ବୈଶାଖ ପୂର୍ଣିମାରେ ରଘୁନାଥ ମୁର୍ମୁ ଜନ୍ମ ଗ୍ରହଣ କରିଥିଲେ, ୧୯୧୩ ମସିହା ଆଠ ବର୍ଷ ବୟସରେ ଶିକ୍ଷା ଆରମ୍ଭ କରି
ଏବଂ ୧୯୨୮ରେ ମେଟ୍ରିକ ପାସ୍ କରିଥିଲେ ହିଁ ଛାତ୍ର ଜୀବନ ମଧ୍ୟରେ ୧୯୨୫ ମସିହାରେ ଅଲଚିକି ଲିପିକୁ ଲୋକ ଲୋଚନକୁ ଆଣିଥିଲେ। ଭାଷା ପାଇଁ ତାଙ୍କ ପ୍ରାଥମିକ ଶିକ୍ଷା ଅନେକ ସମସ୍ୟାର ସାମ୍ନା କରିଥିଲେ ସତ, କିନ୍ତୁ ସେ ସମସ୍ୟାର ସମାଧାନ ପାଇଁ ତାଙ୍କ ମନ ଭିତରେ ସୃଷ୍ଟି ହେଇଥିବା ଇଚ୍ଛା ଶକ୍ତି, ଦୃଢ ମନୋବଳ ଏବଂ ସେ ସବୁକୁ ସ୍କୁଲ ସମୟରେ ସଫଳ ରୂପ ଦେବା ତାଙ୍କର ଅସାଧାରଣ ପ୍ରତିଭାର ପରିଚୟ ପ୍ରଦାନ କରେ । ୧୯୨୫ ମସିହାରେ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ବାରା ଏହି ଭାଷାପାଇଁ ଲିପି ଉଦ୍ଭାବନ କରିବା ସହ ଏକ ନୂଆ ଯୁଗର ଅୟାରମ୍ଭ ହେଲା ।
ଅମେ ସମସ୍ତେ ଗୁରୁ ଗୋମକେଙ୍କୁ ଭାଷାବିଦ୍ ବା ଭାଷା ସଂସ୍କାରକ ଭାବରେ ଜାଣୁ । ବାସ୍ତବ ପକ୍ଷେ ତର୍ଜମା କଲେ ଜଣାଯାଏ ଗୁରୁ ଗୋମକେ କେବଳ ଭାଷାବିଦ୍ ନୁହଁନ୍ତି ସେ କେବଳ ଏକ ଭାଷାକୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରି ନାହାନ୍ତି ସେ ସମଗ୍ର ସାନ୍ତାଳ ସମାଜକୁ ସମୟର ଗର୍ଭରେ ଲୀନ ହେବାରୁ ରକ୍ଷା କରିଛନ୍ତି । ଯେଉଁ ସମୟରେ ଗମନା ଗମନର ସୁବ୍ୟବସ୍ଥା ନଥିଲା ଆଜିକାଲି ଭଳି ସାମଜିକ ଗଣ ମାଧ୍ୟମ ନଥିଲା ସେହି ସମୟରେ ମୟୂରଭଞ୍ଜରୁ ସୁଦୂର ଆସାମ ଯାଏଁ ସମସ୍ତ ପୁରପଲ୍ଲୀରେ ଏହାର ପ୍ରଚାର ପ୍ରସାରରେ ସେ ନିଜକୁ ନିୟାେଜିତ କରିଥିଲେ । ସାନ୍ତାଳୀ ଭଷା ଏବଂ ଅଲଚିକି ଲିପିର କଲ୍ପବୃକ୍ଷ ଯାହାର ଶାଖା ପ୍ରଶାଖା ନେପାଳ ବଂଙ୍ଗଳାଦେଶ ଯାଏଂ ଆଜି ପ୍ରଶାର ଲାଭ କରିଛି ଏହାର ଶ୍ରେୟ ଗୁରୁଗୋମକେ ସୃଷ୍ଟି କରିଥିବା ସୁଦୃଢ ଭିତ୍ତିଭୂମିକୁ ହିଁ ଦିଆଯିବ ।
ଗୁରୁ ଗୋମକେଙ୍କର ଅଲ୍ ଚେମେଦ, ପାରସି ପୋହା, ପାରସି ଇତୁନ, ଏଲଖା (ଗଣିତ), ରନଳ୍ (ବ୍ୟାକରଣ) ଆଦି ପୁସ୍ତକ ମୌଳିକ ଶିକ୍ଷାର ମେରୁଦଣ୍ଡ ଥିବା ବେଳେ ତାଙ୍କ ଅବଶିଷ୍ଟ ସାହିତ୍ୟ ସଂରଚନା ମାଧ୍ୟମରେ ସାନ୍ତାଳ ସମାଜରେ ସଂସ୍କୃତି ପରମ୍ପରା, ଧର୍ମୀୟ ବିଶ୍ବାସ ସବୁକୁ ବଜାଇ ରଖିବା ସହ ସମାଜିକ ସଂସ୍କାର ଏବଂ ଜାତୀୟ ଚେତନା ସୃଷ୍ଟି କରିପାରିଛି ।ତାଙ୍କ ରଚିତ “ହିତାଲ” ସାନ୍ତାଳ ସମ୍ରଦାୟ ମଧ୍ୟରେ “ଗୀତା” “ବାଇବେଲ୍” ଭଳି ଘରେ ଘରେ ପୂଜା ପାଏ ,
“ବାଖେଣ୍” ରେ ସାନ୍ତାଳ ଦେବା ଦେବୀ ମାନଙ୍କର ସ୍ତୁତି ବନ୍ଦନା ମାନ ରହିଛି , ହର୍ ସେରେଞ୍ଚ ପୁସ୍ତକରେ ସାନ୍ତାଳ ସମ୍ପ୍ରଦାୟରେ ବିବାହ, ଶ୍ରାଦ୍ଧ ସହ ବିଭିନ୍ନ ପାରମ୍ପରିକ ପର୍ବ ପର୍ବାଣୀରେ ବ୍ୟବହୃତ ଗୀତ ଏବଂ ସ୍ତୁତି ମାନ ସ୍ଥାନ ପାଇଛି । ଏକଦା ସମୟ ଥିଲା ତାଙ୍କ ଦ୍ବାରା ରଚିତ ନାଟକ “ବିଦୁ ଚାନ୍ଦାନ” ଏବଂ “ ଖେରଓ୍ବାଳ ବୀର” ପ୍ରତି ଗ୍ରାମରେ ପରିବେଶିତ ହେଉଥିଲା ଏବଂ ସେଥିରେ ଅନେକ ଲୋକଙ୍କର ସମାଗମ ହେଉଥିଲା, ଏହାକୁ ଦେଖିବା ପାଇଁ ଦୂର ଦୁରାନ୍ତରରୁ ଲୋକମାନେ ଆସୁଥିଲେ । ବିଦୁ ଚାନ୍ଦାନ ନାଟକରେ ଗୁରୁ ଗୋମକେ ଲିପି ସମ୍ବନ୍ଧରେ ପାଇଥିବା ଅଲୌକିକ ପ୍ରେରଣାର ନାଟ୍ୟ ରୂପାନ୍ତରଣ ସହ ନାଟକର ନାୟକ “ବିଦୁ” ଏନଂ ନାୟିକା “ଚାନ୍ଦାନ” ମାଧ୍ୟମରେ “ଚାୟ ଗାଳ” ଏବଂ “ଚାମ୍ପାଗାଳ” ମାଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଏକ ଅଭୂତ ପୁର୍ବ ପ୍ରୟାସ କରିଛନ୍ତି । ସେହିଭଳି କିମ୍ବଦନ୍ତୀ ନାଟକ “ଖେରଓ୍ବାଳ ବୀର”ରେ ମାନବ ଏବଂ ଦାନବର ମହାଯୁର୍ଦ୍ଧରେ ନାୟକ “ଖେରଓ୍ବାଳ ବୀର” ଏବଂ ନାୟିକା “କାଜୋଲ” ମାଧ୍ୟମରେ ସତ୍ୟ ଏବଂ ନ୍ୟାୟର ବିଜୟ ସଂଘଠିତ ହୋଇଛି ।
“ଲାକଚାର୍ ସେରେଞ୍ଚ” ତାଙ୍କର ସବୁଠାରୁ କ୍ଷୁଦ୍ର ପୁସ୍ତକ ହେଲେ ମଧ୍ୟ ସେଥିରେ ଥିବା ପ୍ରତ୍ୟକ ଧାଡି ପ୍ରତ୍ୟକ ଶବ୍ଦ ସାମାଜିକ ଚେତନାର ଶକ୍ତିଶାଳି ଆବେଦନ ରହିଛି । ଯେପରିକି ପୁସ୍ତକର ମାତ୍ର ଚାରୋଟି ପଦ ଆମେ ଦେଖିବା ;
୧) ଅଲ ମେନାଃ ତାମା , ରଳ୍ ମେନାଃ ତାମା, ଆମ ହଁ ମେନାମ , ଅଲ ଏମ ଆଦଲେରେ ରଳ୍ ଏମ୍ ଆଦଲେ. ଧରମ ଏମ ଆଦଲେରେ ଆମ ହମ ଆଦଃ ।
ଅନୁବାଦᱺ ତୁମ ଭାଷା ତୁମ ଲିପି ଅଛି ବୋଲି ତୁମ ଅସ୍ଥିତ୍ବ ଅଛି, ତୁମ ଭାଷା, ଲିପି, ଧର୍ମ ସବୁକୁ ହଜାଇଦେଲେ ତୁମ ଅସ୍ଥିତ୍ବ ହଜିଯିବ ।
୨) ଅମାଃ ଅଳାଃ ଲାଗିଦ, ଆମାଗ ଦୁଆର ଲାଗିଦ ଜାହାୟ ଦ ବାୟ ଞ୍ଜେଲେଦ, ଆମଗେମ ଞେଲେଦ, ଆମାଗ ଜାତି ଲାଗିଦ, ଆମାଗ ଧରମ ଲାଗିଦ ଜାହାୟ ଦ ବାୟ ଞ୍ଜେଞ୍ଜେଲ ଆମଗେ ଞ୍ଜେଲ ମେ ।
ଅନୁବାଦᱺ ନିଜ ଘର ନିଜ ଦ୍ବାର କଥା ଅନ୍ୟ କେହି ବୁଝେ ନାହିଁ ନିଜେ ହିଁ ବୁଝୁ, ତେବେ ନିଜ ଜାତି ନିଜ ଧର୍ମ ଲାଗି ଅନ୍ୟ କେହି ବୁଝିବେ ନାହିଁ ନିଜକୁ ବୁଝିବାକୁ ହେବ ।
୩) ଗିଦ୍ରା କ ତାବ , ବାବ ଢିଲାଉ କଓ୍ବା, ଅଲଃ ପଳହନ ଡାହାର ବ ପାଁଜା ଅଚ କ, ଉନକୁ ଗେ ତାବ , ଆବରିନ ଆଗାମ କ, ଉନକୁ ଚେତାନରେ ମେନାଃ , ଜାତି ଦାଳେ ଦ ।
ଅନୁବାଦ: ଶିଶୁ ମାନଙ୍କୁ ଅବହେଳା କରିବା ନାହିଁ, ଶିକ୍ଷାର ପଥରେ ଚାଲିବାକୁ ଦେବା, ଶିଶୁ ମାନେ ହିଁ ଭବିଷ୍ୟତ, ତାଙ୍କ ପାଖରେହିଁ ଅଛି ଜାତିର ଶକ୍ତି ।
୪) ଅଲ୍ ଦ ବାରାହି କାନା , ଆବୟ ତଲ ଦହ ବନା, ମାରସାଲ୍ ଡାହାର ତେ ଅର୍ ଇଦି ବନା ।
ଅନୁବାଦ: ଶିକ୍ଷା ହେଉଛି ଏପରି ଦଉଡି, ଯିଏ ଆମକୁ ବାନ୍ଧି ରଖେ, ଆଲୋକର ବାଟ ଆମକୁ ଟାଣି ନିଏ ।
ଗୁରୁ ଗୋମକେଙ୍କର ଅନୁଗାମୀ ଭାବରେ ମୋ ଦୃଷ୍ଟକୋଣରେ ତାଙ୍କର ପ୍ରତ୍ୟକ କୃତି କାଳଜୟୀ ହୋଇ ଥିବା ବେଳେ , ଲାକଚାର ସେରେଞ୍ଜରେ ଗୁରୁ ଗୋମକେ ସାନ୍ତାଳ ସମାଜ ପ୍ରତି ଥିବା ତାଙ୍କ ସ୍ବପ୍ନ , ଆକାଂକ୍ଷା, ପ୍ରତିଶୃତି ବଦ୍ଧତା ପ୍ରତି ଫଳିତ ହୁଏ ।
ଗୁରୁ ଗୋମକେ ସର୍ବଦା ଏକ ସୁସ୍ଥ , ସୁଦୃଢ ଏବଂ ଉନ୍ନତ ସାନ୍ତାଳ ସମାଜର ପରିକଳ୍ପନା କରିଥିଲେ , ସେଥିପାଇଁ ଆସେକା ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ ଏହାର ଶାଖା ବିହାର , ପଶ୍ଚିମ ବଙ୍ଗର ବିଭିନ୍ନ ସ୍ଥାନରେ ଖୋଲିଥିଲା । ଏହି ଆସେକା ମାଧ୍ୟମରେ ସେ ସମାଜ, ଶିକ୍ଷା, ସଂସ୍କୃତି ସମ୍ବନ୍ଧରେ ପ୍ରଛନ୍ନ ଭାବରେ ଜନ ସଚେତନ ଚଲାଇଥିଲେ ।
୧୯୮୨ ମସିହା ଫେବ୍ରୁଆରୀ ୧ ତାରିଖ ଦିନ ସେ ତାଙ୍କ ଅସଂଖ୍ୟ ଆନୁଗତ୍ୟ ଏବଂ ପରିବାରକୁ ଶୋକାତୁର କରି ଇହଲିଳା ସମ୍ବରଣ କଲେ । ତାଙ୍କର ସ୍ବର୍ଗବାସ ପରେ ମଧ୍ୟ ତାଙ୍କ ଦ୍ବାରା ଆହୁତ ସାନ୍ତାଳୀ ଭାଷା ଆନ୍ଦୋଳନ ବଳବତ୍ତର ରହିଲା ।
ସାନ୍ତାଳୀ ଭାଷା ଆନ୍ଦୋଳନର ଦୀର୍ଘ ଦାବୀ ପରେ
୨୦୦୩ ମସିହା ଡିସେମ୍ବର ମାସ ୨୨ ତାରିଖ ଦିନ ସମ୍ବିଧାନର ୯୨ତମ ସଂଶୋଧନ ସାନ୍ତାଳୀ ଭାଷା ସହ ବୋଡୋ, ଡୋଗ୍ରୀ, ମୈଥିଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଗଲା । ଏହି ବିଲ୍ ୭ ଜାନୁଆରୀ ୨୦୦୪ ରିଖ ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ବିଧିବଦ୍ଧ ଭାବରେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଲା ଏବଂ ଭାରତର ଅନ୍ୟତମ ସରକାରୀ ଭାଷା ଭାବରେ ମାନ୍ୟତା ପାଇଲା ।
ଆଜି ସାନ୍ତାଳ ସମାଜ ଓ ସାନ୍ତାଳି ଭାଷା ଯେଉଁ ସ୍ଥାନରେ ଦଣ୍ଡାୟମାନ ସେ ସବୁର ସମସ୍ତ ଶ୍ରେୟ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଦିଆଯିବ । ତାଙ୍କୁ ଏବଂ ତାଙ୍କର ଅବଦାନକୁ ନିର୍ଦ୍ଧିଷ୍ଟ ଶବ୍ଦ ଅଥବା ବାକ୍ୟ ମଧ୍ୟରେ ସମାହିତ କରିବା ଅସମ୍ଭବ । ସାନ୍ତାଳ ସମାଜ ପାଇଁ ସେ ଏକ ଅନୁଷ୍ଠାନ, ଇଶ୍ବରଙ୍କ ଅବତାର, ମାର୍ଗଦର୍ଶକ , ପରିଚୟ ପାଇଁ ସଂଘର୍ଷ କରୁଥିବା ଭାଷା ଭାଷୀ ସମାଜ ପାଇଁ ପ୍ରେରଣା । ସନ୍ତାଳ ସମାଜକୁ ଆଜି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆହୁରି ଅନେକ ଆଗକୁ ଯିବାକୁ ହେବ । ମୁଁ ସଦାବେଳେ ଗୋଟିଏ କଥା କହେ କୌଣସି ଭାଷାକୁ ସମ୍ବିଧାନ ସ୍ବୀକୃତି ସେ ଭାଷାର ସଞ୍ଜୀବନୀ ନୁହେଁ । ସାନ୍ତାଳୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ଯଦି ମନେ କରୁଛୁ ଭାଷାଟି ଆଉ ବିପଦ ସଙ୍କୁଳ ଅବସ୍ଥାରେ ନାହିଁ ତେବେ ଆମେ ସମସ୍ତେ ଭ୍ରମରେ ଅଛୁ । କେବଳ ସଂଗ୍ରହାଳୟ କିମ୍ବା ଗବେଷକର ପୃଷ୍ଠା ଭିତରେ ବିଚରଣ କରୁଥିବା ଭାଷା ମାନଙ୍କୁ କଦାପି ସମ୍ପୁର୍ଣ୍ଣ ଜୀବିତ ଭାଷା କୁହାଯାଇନପାରେ ।
ଭାଷାଟିକୁ ବଞ୍ଚାଇରଖିବା ପାଇଁ ଏହକୁ ଦୈନଦିନ ଜୀବନରେ ବ୍ୟବହାର ସହ, ସ୍କୁଲ କଲେଜର ପାଠ୍ୟକ୍ରମ, ସରକାରୀ କଳରେ ବ୍ୟବହାର ଅନିବାର୍ଯ୍ଯ । ଏଥିପାଇଁ
ସାନ୍ତାଳୀ ଭାଷାପ୍ରେମୀ, ନିର୍ବାଚିତ ପ୍ରତିନିଧି , ସରକାରୀ ଅମଲା ସମସ୍ତଙ୍କର ଦାୟିତ୍ବ କିଭଳି ଗୁରୁଗୋମକେଙ୍କର ସ୍ବପ୍ନ କୁ ବାସ୍ତବ ରୂପ ଦେବେ ନଚେତ ଭାଷାଟି ସଂଗ୍ରାହଳୟର ଚାରିକୋଠରୀ କିମ୍ବା ଗବେଷକର ପୃଷ୍ଠା ଭିତରେ ସୀମବଦ୍ଧ ହୋଇ ରହିଯିବ !!!!
ଆର୍ ଅଶ୍ବନୀ ବଞ୍ଜନ ମୁର୍ମୁ
ଟଲକଚୁଇଁ (ତଲଖ), କୁଳିଅଣା
ମୟୂରଭଞ୍ଜ
Ashwani.murmu@gmail.com
Comments
Post a Comment