ଏକ ଲିପି ବିହିନ ଭାଷାର ଯନ୍ତ୍ରଣାକୁ ଜଣେ ଅନୁଭବୀ ମଣିଷହିଁ ଅନୁଭବ କରିପାରେ, ଗୋଟିଏ ଲିପି ନଥିବା ଭାଷା ନିଜ ଆତ୍ମ ପରିଚୟ ହରେଇ ନିଜ ଭାଷା ସଂସ୍କୃତି ଓ ଇତିହାସକୁ ନିରୁଦ୍ଧିଷ୍ଟ ପଥରେ ଧାବମାନ ହେଉଥିବା ମଣିଷ ଭଳି । ମାହାମହିମ ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁଙ୍କ ଗତ ମୟୂରଭଞ୍ଜ ଗସ୍ତ ଥିଲା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ । ୧୯୨୫ ମସିହାରେ ଅନେକ ସାଧନା ଓ ପ୍ରଚେଷ୍ଟାବଳରେ ସାନ୍ତାଳୀ ଲିପି ଅଲଚିକିକୁ ସୃଷ୍ଟି କରି ଲୋକଲୋଚନକୁ ଆଣିଥିଲେ । ଯାହା ଫଳରେ ସେ ସମଗ୍ର ସାନ୍ତାଳ ସମାଜକୁ ସେ ନିରୁଦ୍ଧିଷ୍ଟ ପଥରୁ ଉଦ୍ଧାର କରିଛନ୍ତି । ଓଡିଶା ବିହାର, ପଶ୍ଚିମ ବଙ୍ଗ ଓ ଆସାମ ଆଦି ଅଞ୍ଚଳକୁ ନିଜ ଆନୁଗତ୍ୟ ମାନଙ୍କ ସହ ଯାଇ ଏହାକୁ ପ୍ରଚାର ପ୍ରସାର କଲେ । ସେହି ଲିପିରେ ଅନେକ ସାହିତ୍ୟ ରଚନା କଲେ ଯାହା ସବୁ ଲୋକ ମାନଙ୍କ ମଧ୍ୟରେ ଖୁବ ଆଦୃତ ହେଲା ।
ଆଜିର ଦିନରେ ସାନ୍ତାଳ ସମାଜ ମଧ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ଗୋଟିଏ ଆବେଗ । ଅଜି ସାନ୍ତାଳୀ ଭାଷା କହିଲେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ବୁଝାଏ । ସେଇ ଆବେଗକୁ ଆଖିରେ ରଖି ସଭାସମିତି ମାନଙ୍କରେ ନେତା ମାନଙ୍କର ନଭଶ୍ଚୁମ୍ବି ପ୍ରତିଶ୍ରୁତି ଶୁଣିବାକୁ ମିଳେ। ମହାମହିମ ରାଷ୍ଟ୍ରପତି କିନ୍ତୁ ଏସବୁ କ୍ଷେତ୍ରରେ ବ୍ୟତିକ୍ରମ । କାହିଁକିନା , ସାନ୍ତାଳୀ ଭାଷାକୁ ୨୦୦୩ ମସିହାରେ ଡିସେମ୍ବର ୨୨ ତାରିଖ ଲୋକସଭାରେ ଏବଂ ୨୩ ତାରିଖ ରାଜ୍ୟସଭାରେ ସମ୍ବିଧାନର ୯୨ତମ ସଂଶୋଧନ ବିଲ୍ ପାସ୍ ହୋଇ ଏବଂ ୨୯ ଜାନୁଆରୀ ୨୦୦୪ ରେ ରାଷ୍ଟ୍ରପତିଙ୍କର ଅନୁମୋଦନ କ୍ରମେ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲା । ସାନ୍ତାଳୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାରେ ଅନେକ ବ୍ୟକ୍ତିଙ୍କର ସମୁହ ଭୂମିକା ରହିଛି । ୨୦୦୩ ମସିହାରେ ରାଷ୍ଟ୍ରପତି ମହୋଦୟା ଓଡିଶାର ବିଜେପି-ବିଜେଡି ମିଳିତ ସରକାରରେ ମସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଥିଲେ ଏବଂ ମହାମେଘବାହନ ଐରଖାରବେଳ ସ୍ବାଇଁ ବାଲେଶ୍ବରର ସାଂସଦ ଥିଲେ । ସାନ୍ତାଳୀ ଭାଷାକୁ ଅଷ୍ଡମ ଅନୁଛେଦରେ ସାମିଲ କରିବା ପାଇଁ ଉଭୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀ ଏବଂ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିଭଳି ଓଡିଶାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୦୦ତମ ଜୟନ୍ତୀ ପାଳନର ସେ ଆବାହକ ଥିଲେ । ତାଙ୍କ ପ୍ରୟାଶରେ ସାନ୍ତଳୀ ଭାଷାରେ ପ୍ରଥମକରି ସାନ୍ତାଳୀ ଶିଶୁ ପତ୍ରିକା ଚାଁଦ ମାମ (ଜହ୍ନ ମାମୁଁ ) ପ୍ରକାଶ ପାଇଥିଲା । ଭୁବନେଶ୍ବରର ଶୈଳଶ୍ରୀ ବିହାରରେ ଥିବା ସାନ୍ତାଳ ସମାଜର ଜାହିରା ନିକଟରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ପ୍ରତିମୁର୍ତ୍ତି ତାଙ୍କର ଦାନ ପ୍ରତିବଦଳରେ ଆଜି ଦଣ୍ଡାୟମାନ । ଡମଣାଛକ ଠାରୁ ଭା୍ୟା ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଶୈଳଶ୍ରୀ ବିହାର ଜାହିରା ପର୍ଯ୍ୟନ୍ତ ରାସ୍ତାକୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମାର୍ଗ ନାମରେ ନାମକରଣ କରିବାର ଶ୍ରେୟ ମଧ୍ୟ ମହାମହିମ ରାଷ୍ଟ୍ରପତିଙ୍କୁ ଦିଆଯାଏ । ସେ ଝାଡଖଣ୍ଡରାଜ୍ୟର ରାଜ୍ୟପାଳ ଥିବାସମୟରେ ସାନ୍ତାଳୀ ଭାଷାରେ ଅଲଚିକି ଲିପିରେ ରାଜଭବନର ନାମ ଲେଖାଇଥିଲେ ।ଏଥିରୁ ଅନୁମାନ କରାଯାଏ ରାଷ୍ଟ୍ରପତିଙ୍କ ହୃଦୟରେ ପଣ୍ତିତ ରଘୁନାଥ ମୁର୍ମୁ ଏବଂ ନିଜ ମାତୃଭାଷାର ସ୍ଥାନ କେଉଁଠି । ରାଷ୍ଟ୍ରପତି ଭାବରେ ଯେତେବେଳେ ସେ ପ୍ରଥମଥର ମୟୂରଭଞ୍ଜ ଆସିବାକୁ ମନେକଲେ ସେତେବେଳେ ସେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ହିଁ ଉଚିତ ସମୟ ବୋଲି ମନେ କଲେ ଏବଂ ତାଙ୍କ ଗୁରୁ ଗୋମକେଙ୍କ ଗ୍ରାମ ଦାଣ୍ଡବୋଷ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ । ତେଣୁ ଯଥାର୍ଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଗୋମକେଙ୍କର ଜଣେ ଯୋଗ୍ୟ ଅନୁଗାମୀ ।
ମହାମହିମ ରାଷ୍ଟ୍ରପତିଙ୍କ ଗତ ମୟୂରଭଞ୍ଜ ଗସ୍ତର ଗୋଟିଏ ଦିନ ଆଗରୁ ଆମେ କହି ପାରିବା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ ପୂର୍ବ ସଂଧ୍ୟାରେରେ ରାଜ୍ୟ ସରକାର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ଉନ୍ନତି କରଣ ପାଇଁ ୧୦କୋଟି ଟଙ୍କା ଅନୁଦାନ ଘୋଷଣା କରନ୍ତି । ଏଭଳି ସଂଯୋଗ ପ୍ରଥମଥର ଘଟି ନାହିଁ ୨୦୧୫ ମସିହାରେ ଯେତେବେଳେ ଦ୍ରୌପଦୀ ମୁର୍ମୁଙ୍କୁ ଝାଡଖଣ୍ଡର ରଜ୍ୟପାଳ ଭାବରେ ମନୋନିତ କରାଗଲା ସେତେବେଳେ ହଠାତ ବାରିପଦାରେ ନୂଆକରି ଗଢି ଉଠୁଥିବା ସରକାରୀ ମେଡିକାଲ କଲେଜର ନାମ କରଣ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ନାମରେ ନାମିତ କରାଗଲା । ହେଇପାରେ ଏହା ସରକାରଙ୍କ ନିୟମିତ ଯୋଜନାର ଅଂଶ ବିଶେଷ ହେଇପାରେ କିନ୍ତୁ ସାଧାରଣ ଚକ୍ଷୁରେ ସଂଯୋଗ ବୋଲି ମନେ ହୁଏ । ଏଥର ମହାମହିମ ରାଷ୍ଟ୍ରପତି ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ ।୧୯୮୮ରେ ଗଠିତ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସଂଘ ସାନ୍ତାଳୀ ଭାଷା ସାହିତ୍ୟର ସର୍ବ ବୃହତ ଅନୁଷ୍ଠାନ । ଏଥିରେ ଓଡିଶା, ବିହାର, ପଶ୍ଚିମ ବଙ୍ଗ, ଆସାମ, ଝାଡଖଣ୍ଡର ପ୍ରତିଷ୍ଠିତ ସାହିତ୍ୟିକ ମାନେ ଯୋଗ ଦେଇଥାନ୍ତି । ୨୦୦୩ ରେ ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଲମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ହେବା ପାଇଁ ସଂସଦରେ ଅନୁମୋଦନ ହେବା ପରେ ଏହି ଅନୁଷ୍ଠାନ ପତ୍ର ସଂଖ୍ୟା C.S/48 ତାରିଖ ୧୯/୦୫/୨୦୦୫ ମାଧ୍ୟମରେ ରାଜ୍ୟ ସରକାରଙ୍କଠାରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ସାନ୍ତାଳୀ ଭାଷାର ପ୍ରଚଳନ ପାଇଁ ଦାବି ରଖିଥିଲେ । ସେହି ସମୟରେ ବିଶିଷ୍ଟ ଶିକ୍ଷାବିତ ଡ. ମନ୍ନଥ ନାଥ କୁଣ୍ଡୁଙ୍କ ସଭାପତିତ୍ବରେ ଏକ କମିଟି ଗଠନ କରାଯାଇଥିଲା କିନ୍ତୁ ଜନପ୍ରତିନିଧିଙ୍କର ଇଚ୍ଛାଶକ୍ତିର ଅଭାବ ଏବଂ ସରକାରୀ ଉଦାସିନତା ଯୋଗୁଁ କୌଣସି ଫଳପ୍ରଦ କାର୍ଯ୍ୟ ହୋଇନାହିଁ । ଠିକ ସମାନ ଦାବି ଏହି ଅନୁଷ୍ଠାନ ୦୪/୦୨/୨୦୧୨ ରେ ଏକ ଦାବିପତ୍ର ମାଧ୍ୟମିକ ଶିକ୍ଷା ପରିଷଦ-ଓଡିଶା ଠାରେ ଦିଆଯାଇଥିଲା । ପରବର୍ତ୍ତୀ କାଳରେ ଆସେକା-ଓଡିଶା, ନିଖିଳ ଓଡିଶା ସାନ୍ତାଳୀ ଅଭିଭାବକ ସଂଘ, ବିଭିନ୍ନ ଛାତ୍ର ସଂଘ ତଥା
ସାନ୍ତାଳୀ ସାମଜିକ ଅନୁଷ୍ଠାନ ସମାନ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ ଗଣଶିକ୍ଷା ବିଭାଗର କୌଣସି ଆନ୍ତରିକତା ଦେଖିବାକୁ ମିଳିନାହିଁ ।ରୋମାଞ୍ଚକର କଥା ଏହା ୦୨/୧୧/୨୦୦୫ ରିଖ ତତ୍କାଳୀନ ମୟୂରଭଞ୍ଜ ସାଂସଦ ମାନ୍ୟବର ସୁଦାମ ମାର୍ଣ୍ଣି ମାଧ୍ୟମିକ ଶିକ୍ଷା ପରିଷଦ-ଓଡିଶାକୁ ସାନ୍ତାଳୀ ଭାଷାରେ ଶିକ୍ଷା ପାଇଁ ପତ୍ର ବିନିମୟ କରିଥିଲେ , ସେତେବେଳେ ମାନ୍ୟବର ସାଂସଦ ମହୋଦୟ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ବ ନେଉଥିଲେ । ଶ୍ରୀଯୁକ୍ତ ମାର୍ଣ୍ଣି ମହୋଦୟ ସରକାରୀ ଦଳରେ ସାମିଲ ହେଲାପରେ ତାଙ୍କ ସହଯୋଗରେ ଅନେକ ଥର ସାନ୍ତାଳୀ ସାମାଜର ପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହ ସାକ୍ଷାତ ଏବଂ ଆଲୋଚନା କରିଛନ୍ତି ଯଦିଓ କୌଣସି ସକାରାତ୍ମକ ଫଳାଫଳ ବର୍ତ୍ତମାନ ସୁଦ୍ଧା ମିଳି ନାହିଁ । ଏବେ ଖୋଦ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଣି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ , ଏହା ହିଁ ସମୟର ମହାସଂଯୋଗ ଏବଂ ରୋମାଞ୍ଚ ।ଯେତେବେଳେ ବାରମ୍ବାର ଆନ୍ଦୋଳନ ଏବଂ ଦାବିପତ୍ର ଦେବା ସତ୍ତ୍ବେମଧ୍ୟ ଦାବି ହାସଲ ହେଉ ନାହିଁ, ସାନ୍ତାଳୀ ଭାଷା ସଂଗ୍ରାମୀ ମାନେ ଏବେ ଆନ୍ଦୋଳନ ଏବଂ ଦାବିପତ୍ର ଦେବାକୁ ସମ୍ପୁର୍ଣ୍ଣ ମୁହଁ ଫେରାଇନେଇଛନ୍ତି । ସେମାନେ ଆଶା ବାନ୍ଧିଛନ୍ତି ମହାମହିମ ରାଷ୍ଟ୍ରପତି ଆସିବେ ଏବଂ ସାନ୍ତାଳୀ ଭାଷା ପାଇଁ କିଛି ଗୋଟିଏ ଚମତ୍କାର ହେବ ।
Comments
Post a Comment