ଭାଷା ହେଉଛି ଭାବନାକୁ ପରିପ୍ରକାଶ କରିବାର ଶ୍ରେଷ୍ଠ ମାଧ୍ୟମ, ମାନବ ସମାଜ ପାଇଁ ଇଶ୍ବର ପ୍ରଦତ୍ତ ସର୍ବଶ୍ରେଷ୍ଠ ଉପହାର ।ମଣିଷ ବ୍ୟତୀତ ଏ ଧରାପୃଷ୍ଟରେ କାହାକୁ କୌଣସି ଜୀବକୁ ଏ ସୌଭାଗ୍ୟ ମିଳିନାହିଁ । ମଣିଷ ତାର ସୃଜନଶୀଳତା ପାଇଁ ନିଜ ଭାଷାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଲିପି ଆବିଷ୍କାର କରେ , ଲିପି ମାଧ୍ୟମରେ ନିଜର ସାହିତ୍ୟ ସଂସ୍କୃତି ପରମ୍ପରା ଆଦିକୁ ଆହୁରି ରୁଦ୍ଧିମନ୍ତ କରେ । ପୃଥିବୀରେ ଅନେକ ଭାଷାର ନିଜସ୍ବ ଲିପି ଅଛି, ପ୍ରତ୍ୟକ ଲିପି ନିଜର ଭାଷାକୁ ଉଚ୍ଚାରଣ ନିମିତ୍ତ ପରିପୃଷ୍ଟ କରିବାରେ ସହାୟକ ହୁଏ ତେଣୁ ପ୍ରତ୍ୟକ ଲିପି ନିଜ ଭାଷା ପାଇଁ ସ୍ବତନ୍ତ୍ର ବୈଶିଷ୍ଟ୍ୟ ବହନ କରେ । ନିଜର ଲିପିପାଇଁ ପ୍ରତ୍ୟକ ନିଜକୁ ଗୌରବମୟ ମନେକରିବା ସହ ଏବଂ ଆବେଗମୟ ହୋଇଥାନ୍ତି ।
ସବୁ ଭାଷା ପାଇଁ ଲିପି ନଥାଏ ଅନେକ ଭାଷା ମୌଖିକ ଭାବରେ ନିଜକୁ ବଞ୍ଚାଇରଖିଥାନ୍ତି । ଅନ୍ୟ ଭାଷା ଅପେକ୍ଷା ଏହି ମୌଖିକ ଭାଷା ଗୁଡିକ ଅତ୍ୟନ୍ତ ବିପଦ ସଙ୍କୁଳ । ଏନଡେନଜରଡ୍ ଲାଙ୍ଗୁଏଜ ପ୍ରଜେକ୍ଟ ଏକ ପ୍ରତିଷ୍ଠିତ ଅନୁଷ୍ଠାନର ତଥ୍ୟ ଅନୁସାରେ ଆଗାମୀ ୧୦୦ ବର୍ଷ ଭିତରେ ବିଶ୍ବର ଶତକଡା ୯୦ ଭାଗ ଭାଷା ଗୁଡିକ ବିଲୁପ୍ତ ହେଇଯିବ । ବିଶ୍ବର ୭୦୦୦ ଭାଷା ମଧ୍ୟରୁ ୩୦୦୦ ଭାଷା ବିପଦମୁଖି ।
ଭାଷା ବଞ୍ଚିରହିବା ପାଇଁ ଲିପି ଏକାନ୍ତ ଆବଶ୍ୟକ । ଏହିକ୍ରମରେ ସାନ୍ତାଳୀ ଭାଷା ଏବଂ ପଣ୍ଡିତ ରଘୁନାଥ ମୁର୍ମୁ ଏକ ଜ୍ବଳନ୍ତ ଉଦାହରଣ । ପଣ୍ଡିତ ରଘୁନାଥ ମୁର୍ମୁ ୧୯୨୫ ମସିହାରେ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପି ଆବିଷ୍କାର କରିଥିଲେ । ତାଙ୍କର ପ୍ରଚେଷ୍ଟାବଳରେ ଆଜି ସାନ୍ତାଳୀ ଭାଷା ଏବଂ ଲିପି ସମଗ୍ର ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପଣ୍ଡିତ ରଘୁନାଥ ମୁର୍ମୁଙ୍କଠାରୁ ପ୍ରେରଣା ପାଇ ପଣ୍ଡିତ ଲାକୋ ବଦ୍ରା ଏବଂ ପଣ୍ଡିତ ରୋହିଦାସ ସିଂ ନାଗ ଭଳି ବିଦ୍ବାନ ମାନେ ନିଜ ନିଜ ଭାଷା ପାଇଁ ଲିପି ଆବିଷ୍କାର କଲେ । ହୋ ସମାଜ ମଧ୍ୟରେ ପଣ୍ଡିତ ଲାକୋ ବଦ୍ରାଙ୍କର ଓରାଂଚିତି ଏବଂ ମୁଣ୍ଡାରୀ ସମାଜ ମଧ୍ୟରେ ପଣ୍ଡିତ ରୋହିଦାସ ନାଗଙ୍କର ମୁଣ୍ଡାରୀ ବାନୀ ବେଶ ଆଦୃତ ହୋଇପାରିଛି । ସେହିଭଳି ଖୁଳୁକ, କୁଇ, ସୌରା ସମ୍ପ୍ରଦାୟ ମଧ୍ୟ ନିଜ ଲିପିର ପରିଚୟ ପାଇବା ପାଇଁ ଚେଷ୍ଟାରତ ଯାହାକୁ ଅଧିକ ସହଯୋଗ ଏବଂ ପ୍ରୋତ୍ସାହନ ମିଳିବା ଉଚିତ ।
ଗତ ୩୧/୧୨/୨୦୨୪ ରିଖ ଦୈନିକ ପ୍ରଗତିବାଦୀରେ ପ୍ରକାଶିତ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ "ଆଦିବାସୀ ଭାଷା ଲାଗି ଓଡିଆ ଅକ୍ଷର" ଶୀର୍ଷକ ଲେଖା ପ୍ରକାଶ ପାଇଥିଲା ।ଏଥିରେ ଶ୍ରୀ ମିଶ୍ର ଆଦିବାସୀ ଭାଷା ପାଇଁ ଓଡିଆ ଲିପି ପାଇଁ ପ୍ରବର୍ତ୍ତାଇଛନ୍ତି ।
ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଓଡିଆ ସାହିତ୍ୟର ଆଗଧାଡିର ଲେଖକ ଏବଂ ୨୦୧୯ ରେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହୋଇଛନ୍ତି ୨୦୨୩ ରେ ପଦ୍ମଶ୍ରୀ ସମ୍ମାନରେ ଭୁଷିତ ହେଇଛନ୍ତି । ଭାଷା ଏବଂ ଲିପି ମଧ୍ୟରେ ଗୋଟିଏ ନିବିଡତାର ଆବଶ୍ୟକ ଥାଏ ଗୋଟିଏ ନିଜପଣ ରହିବା ଆବଶ୍ୟକ।ସ୍ବାଭାବିକ ଭାବରେ ପ୍ରଶ୍ନ ଆସେ ଆଦିବାସୀ ଭାଷା ଓଡିଆ ଲିପି ମଧ୍ୟରେ କଣ ସେ ନିବିଡତା ଓ ନିଜପଣ ସୃଷ୍ଟି କରାଯାଇପାରେ !!!! ନିଜସ୍ବ ନିଜସ୍ବ ଲିପି ନିିଜ ମା' ଭଳି, ମାଉସୀ ଆତ୍ମୀୟ ହେଇପାରେ କିନ୍ତୁ ମା'ର ସ୍ଥାନ ନେବା ଅସମ୍ଭବ । ଶ୍ରୀ ମିଶ୍ରଙ୍କ ଭାଷାରେ ଆଦିବାସୀଙ୍କୁ ଯେଉଁ ଲିପି ମିଳିଲା ତାହାକୁ ଗ୍ରହଣ କଲେ, ଏକବିଂଶ ଶତାବ୍ଦୀରେ ଆଦିବାସୀ ମାନଙ୍କୁ ଏତେ ନ୍ୟୁନ ମନେ କରାନଯାଉ ଯେ ଯାହା ମିଳିଲା ତାହାକୁହିଁ ଗ୍ରହଣ କରିବେ, ବାସ୍ତବ ପକ୍ଷେ କହିବାକୁ ଗଲେ ୧୭୭୩ ବେଳକୁ ଖ୍ରୀଷ୍ଟିୟ ପାଦ୍ରୀ ରେଭ. ଏଲ୍. ଓ. ସ୍କ୍ରେଫଡ୍ ରାେମାନ ଲିପି ରେ ସାନ୍ତାଳୀ ବ୍ୟାକରଣ ପ୍ରକାଶ କରନ୍ତି 1899ରେ ଖ୍ରୀଷ୍ଟିୟ ପାଦ୍ରୀ ଆଣ୍ଡ୍ରିୟୁ କାମ୍ପବେଲ ରୋମାନ ଲିପିରେ ସାନ୍ତାଳୀ ଅଭିଧାନ ପ୍ରକାଶ କରିସାରିଥାନ୍ତି । ୧୮୯୦ ମସିହାରେ ଆଉ ଏକ ଖ୍ରୀଷ୍ଟିୟ ପାଦ୍ରୀ ଭାରତ ବର୍ଷରେ ଆଗମନ କରନ୍ତି ଯାହାଙ୍କର ନାମ ରେଭ. ପି. ଓ. ବୋଡିଂ । ପି. ଓ. ବୋଡିଂ ୧୯୦୩ ମସିହାରେ ଆରମ୍ଭ କରିଥିବା ରୋମାନ ଲିପିର ସାନ୍ତାଳୀ ଅଭିଧାନ ୧୯୨୪ରେ ସର୍ବସାଧାରଣ କରନ୍ତି । ୧୯୨୫ରେ ଗୁରୁଗୋମକେ ଅଲଚିକି ଆବିଷ୍କାର କରିବା ଭିତରେ ରୋମାନ ଲିପିରେ ଅନେକ ସାନ୍ତାଳୀ ସାହିତ୍ୟ ରୋମାନ ଲିପିରେ ସୃଷ୍ଟି ହେଇ ସାରିଥିଲା , ଯଦି ଯାହା ମିଳିଲା ତାହାକୁ ହିଁ ଆଦିବାସୀ ସମାଜ ଗ୍ରହଣ କରିଥାନ୍ତା ତେବେ ଆଜି ସମଗ୍ର ସାନ୍ତାଳ ସାହିତ୍ୟ ରୋମାନମୟ ହେଇଥାନ୍ତା
କିନ୍ତୁ ସାନ୍ତାଳସମାଜ ରୋମାନ ଲିପିକୁ ପ୍ରତ୍ୟାଖ୍ୟାନ କରି ଅଲଚିକିକୁ ଗ୍ରହଣ କଲେ କାରଣ ରୋମାନ ଲିପିରେ ସେ ନିଜପଣ ନଥିଲା ଯାହା ଅଲଚିକି ଠାରୁ ମିଳିଲା ।
ପଣ୍ଡିତ ଶ୍ରୀ ମିଶ୍ର ଏହା ଯେ ସେ ଧରିବସିଛନ୍ତି ଯେ "ଓଡିଶାର ଆଦିବାସୀ ଓଡିଶାର ସୀମା ଭିତରେ କଥିତ ହୋଇଥାନ୍ତି " ତାଙ୍କୁ ଜଣେଇଦେବା ପାଇଁ ଚାହେଁ ଉତ୍ତର ଓଡିଶାର ସାନ୍ତାଳ , ମୁଣ୍ଡାରୀ , ହୋ ଜନଜାତି କେବଳ ଓଡିଶା ନୁହେଁ ଛତିଶଗଡ,ପଶ୍ଚିମ ବଙ୍ଗ ଝାଡଖଣ୍ଡ, ବିହାର , ଆସାମ , ମଣୀପୁର ସହ ପଡୋଶୀ ଦେଶ ବଙ୍ଗଳାଦେଶ, ନେପାଳରେ, ଭୁଟାନରେ ବସବାସ କରନ୍ତି । ଏହି ଭାଷାଭଷୀ ଲୋକଙ୍କୁ ଓଡିଆ ଲିପିରେ ପ୍ରବର୍ତ୍ତାଇବା ଅର୍ଥାତ ଓଡିଶାର ସାନ୍ତାଳ, ହୋ ମୁଣ୍ଡାରୀ ଜନଜାତିଙ୍କୁ ଅବଶିଷ୍ଟ ବିଶ୍ବର ସାନ୍ତାଳୀ, ହୋ ମୁଣ୍ଡାରୀ ଠାରୁ ପୃଥକ ଓ ଭିନ୍ନ କରିବାର ପ୍ରୟାଶ କରିବା ।
ସେ କହିଛନ୍ତି ଆଦିବାସୀ ସମାଜ ଭୟ କରନ୍ତି କାଳେ ଓଡିଆ ଭାଷା ଆଦିବାସୀ ଭାଷାକୁ ଗିଳି ପକେଇବ ।
ଓଡିଆ ଭାଷା ଆଦିବାସୀ ଭାଷାକୁ ଗିଳିପକେଇବ ନ ଗିଳିପକେଇବ ସେ ସବୁ ବିଷୟବସ୍ତୁ ଆଦିବାସୀଙ୍କ ଆଲୋଚନାର ପରିସରକୁ ଆସିନାହିଁ କଥା କେବଳ ଏତିକି ଓଡିଆ ଦେବନଗରୀ ବଙ୍ଗଳା ତଥା ରୋମାନ ଲିପିରେ ସଠିକ ଭାବରେ ଏହି ଭାଷା ଗୁଡିକର ଉଚ୍ଚାରଣ ପରିପୃଷ୍ଟ ନ ହେବାରୁ ଅଲଚିକି, ଓରାଁଚିତି, ମୁଣ୍ଡାରୀବାନିର ସୃଷ୍ଟି ।
ଶ୍ରୀ ମିଶ୍ର ଓଡିଶାର ଆଦିବାସୀଙ୍କୁ ଭାରତୀୟ ହେବା ଅପେକ୍ଷା ବେଶୀ ଓଡିଆ ହେବା ପାଇଁ ପରାମର୍ଶ ଦେଇଛନ୍ତି ।
ଯେହେତୁ ସାନ୍ତାଳୀ, ହୋ , ମୁଣ୍ଡାରୀ ଜନଜାତି ମାନେ କେବଳ ଓଡିଶା ନୁହେଁ ପଶ୍ଚିମ ବଙ୍ଗ ଝାଡଖଣ୍ଡ, ବିହାର , ଆସାମ , ମଣୀପୁର ସହ ପଡୋଶୀ ଦେଶ ବଙ୍ଗଳାଦେଶ, ନେପାଳରେ, ଭୁଟାନରେ ବସବାସ କରନ୍ତି ତେଣୁ ଏହି ଭାଷା ଭାଷୀ ଲୋକେ ବେଶୀ ଭାରତୀୟ ହେବେ କି ବେଶୀ ଓଡିଆ ହେବେ ସେସବୁ ମଧ୍ୟ ତାଙ୍କ ପାଇଁ ପ୍ରସଙ୍ଗ ନୁହଁ । ନେପାଳ ଠାରୁ ଓଡିଶା ଆସାମରୁ ଛତିଶଗଡ ଗୋଟିଏ ଭାଷା ପାଇଁ ଗୋଟିଏ ଲିପି ପାଇଁ ବଦ୍ଧପରିକର । ଏପରି ନୁହଁ ଯେ ଗୋଟିଏ ଭାଷା ପାଇଁ ବଙ୍ଗଳାଦେଶରେ ଗୋଟିଏ ଲିପି, ନେପାଳରେ ଗୋଟିଏ ଲିପି, ଆସାମରେ ଗୋଟିଏ ଲିପି, ଝାଡଖଣ୍ଡରେ ଗୋଟିଏ ଲିପି , ପ. ବଙ୍ଗରେ ଗୋଟିଏ ଲିପି ବ୍ୟବହାର କରାଯିବ । ଏପରିବି ନୁହଁ ଯେ ଓଡିଶାର ସାନ୍ତାଳ ଜନଜାତି ଅଥବା ହୋ , ମୁଣ୍ଡାରୀ ଜନଜାତି ଓଡିଆ ଲିପିକୁ ଅନ୍ୟ ରାଜ୍ୟ ବା ଦେଶର ସାନ୍ତାଳ ହୋ ମୁଣ୍ଡାରୀ ଭାଇ ମାନଙ୍କ ଉପରେ ଲଦିଦେବେ । ଅନ୍ୟ ମାନଙ୍କ ଉପରେ ଲଦିଦେବାର ପ୍ରବୃତ୍ତି ଡ. ମିଶ୍ର ମହାଶୟଙ୍କର ଥାଇପାରେ ଆଦିବାସୀ ମାନଙ୍କର ନୁହଁ । ଆଦିବାସୀମାନେ ଓଡିଆ ହେବା ଅପେକ୍ଷା ବେଶୀ ସାନ୍ତାଳ, ହୋ, ମୁଣ୍ଡା, ଜୁଆଙ୍ଗ, କନ୍ଧ, ଓରାମ ସୌରା ହେବା ଶ୍ରେୟସ୍କର ମନେ କରିବେ ।
ପୁଣି ଶ୍ରୀ ମିଶ୍ର କହିଛନ୍ତି ଆଦିବାସୀ ମାନଙ୍କ ପାଇଁ ଗଢିଉଠିଥିବା ଭାଷା ଗୁଡିକ ଜଟିଳ ଏବଂ ଅବୈଜ୍ଞାନିକ ।୨୦୦୩ ମସିହାରେ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲା । ଏହାପରେ ଏହି ଭାଷା ପାଇଁ ଅତ୍ୟଧିକ ଗବେଷଣା ଓ ଅଧ୍ୟୟନ ପାଇଁ ପଥ ପ୍ରଶସ୍ଥ ହେଲା । ଆଜିର ଦିନରେ ସାନ୍ତାଳୀ ଭାଷାକୁ ବିଦେଷରୁ ଗବେଷକ ମାନେ ଗବେଷଣା ପାଇଁ ଭାରତକୁ ଆସୁଛନ୍ତି ।ସମୟକୁ ତାଳଦେଇ ୨୦୦୮ ମସିହାରୁ ସାନ୍ତାଳୀ ଲିପିକୁ ୟୁନିକୋଡ ମାନ୍ୟତା ମିଳିଛି । ସାନ୍ତାଳୀ ଭାଷାରେ ଗୁଗୁଲ ଅନୁବାଦ ହେଇପାରୁଛି । ବିଭନ୍ନ ଡିଜିଟାଲ ପ୍ଲାଟଫର୍ମରେ ଅକ୍ଷରରୁ ଧ୍ବନୀ, ଧ୍ବନୀରୁ ଶବ୍ଦକୁ ରୂପାନ୍ତରୀତ ହେଇପାରୁଛି, ସାନ୍ତାଳୀ ଭାଷାରେ ଓ୍ବିକିପିଡିଆରେ ମଧ୍ୟ ତଥ୍ୟ ଉପଲବ୍ଧ ହେଇପାରୁଛି । ସାନ୍ତାଳୀ ଭାଷାର ଲିପି ଅବୈଜ୍ଞାନିକ ହୋଇଥିଲେ ସାନ୍ତାଳୀ ଡିଜିଟାଲ ଯୁଗରେ ଅନ୍ୟାନ୍ୟ ମୁଖ୍ୟ ଭାଷାସହ ତାଳଦେଇ ଚାଲିପାରିନଥାନ୍ତା ।
ସାନ୍ତାଳୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଲାପରେ ଯେଉଁ ସୁଯୋଗ ଓ ଅବସର ମିଳିଛି ଅନ୍ୟ ଆଦିବାସୀ ଭାଷା ଗୁଡିକ ମଧ୍ୟ ସମାନ ଭାବରେ ଉନ୍ନତି କରିପାରିବେ ।
ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପିର ୧୦୦ ବର୍ଷ ପୁର୍ତ୍ତି ପାଳନ କରାଯାଉଛି । ନିଜ ଲିପିରେ ଆମେ ନିଜ ଭାବ ପ୍ରକାଶ ପାଇଁ ଅତ୍ୟନ୍ତ ସହଜ ସରଳ ହେବା ସହ ନିଜ ଲିପି ପାଇଁ ଗର୍ବ ଅନୁଭବ କରନ୍ତି, ସାନ୍ତାଳ ସମାଜକୁ ନିଜ ଲିପି ସହଜ କି ଜଟିଳ ଲାଗୁଛି ସେ କଥା ସେମାନେ ନିର୍ଦ୍ଧାରଣ କରିବେ ଶ୍ରୀ ମିଶ୍ର ନୁହେଁ ।ଶ୍ରୀ ମିଶ୍ର ମନେ ରଖିବା ଏବଂ ଜାଣିରଖିବା ଉଚିତ ଅଲଚିକି ଲିପି ସାନ୍ତାଳୀ ଭାଷାର ପ୍ରତ୍ୟକ syllable କୁ ଷ୍ପସ୍ଟ ଭାବରେ ଉଚ୍ଚାରିତ କରେ , ଠିକ୍ ସେହିଭଳି ଓରାଁଚିତି ଏବଂ ମୁଣ୍ଡାରୀ ବାନି ନିଜ ନିଜ ଭାଷା ପାଇଁ ସମାନ ଦକ୍ଷତା ରଖନ୍ତି । ଅନ୍ୟାନ୍ୟ ଆଦିବାସୀ ଲିପି ମାନଙ୍କରେ ଯଦି କୌଣସି ଦୁର୍ବଳତା ଥାଏ ସେହି ଗୋଷ୍ଠୀର ଆଦିବାସୀ ବିଦ୍ବାନ ମାନେ ସେଥିରେ ଉନ୍ନତି ଆଣିବେ ବୋଲି ମୋର ବିଶ୍ବାସ
ତାଙ୍କ ଲେଖାର ଔଦ୍ଧତ୍ୟ ଏତେ ଯେ ଆଦିବାସୀ ମାନଙ୍କର ଲିପିକୁ ଉଦ୍ଭଟ ଓ ଅବାସ୍ତବ କହିବାକୁ ପଛାଇନାହାନ୍ତି । ମାନସିକ ଭାବରେ ସାନ୍ତାଳୀ ମାନଙ୍କର ଅଲଚିକି ଏବଂ ସୌରା ମାନଙ୍କର ସୋରାଙ୍ଗ ସମପେଙ୍ଗ ଲିପିକୁ କୌଣସି ଭାବରେ ଗ୍ରହଣ କରିବାକୁ ପ୍ରସ୍ତତ ହେଇ ନାହାନ୍ତି ଏବଂ ଏହି ଲିପିର ବିକଳ୍ପ ଭାବରେ ଓଡିଆ ଲିପିର ବ୍ୟବହାର ପାଇଁ ବାରମ୍ବାର ଜୋର ଦେଇଛନ୍ତି ।
ଆଦିବାସୀ ମାନେ ନିଜସ୍ବ ଲିପି ଗଢିବାକୁ ଶ୍ରୀ ମିଶ୍ର ତାଙ୍କ ଲେଖାରେ କଟାକ୍ଷ କରିଛନ୍ତି, ତାଙ୍କ କଥାର ମର୍ମ ଏହା ଆଦିବାସୀ ମାନେ ଆଉ ନିଜସ୍ବ ଲିପି ବାହାର ନ କରନ୍ତୁ ସମସ୍ତେ ଓଡିଆ ଲିପିର ଦାସତ୍ବ ଗ୍ରହଣ କରନ୍ତୁ । ଏକଦା ଯେଭଳି ରୋମାନ ଲିପି ଆମ ଉପରେ ଲଦି ଦିଆଯାଉଥିଲା ଶ୍ରୀ ମିଶ୍ରଙ୍କ ମନବୃତ୍ତି ମଧ୍ୟ ଠିକ ସେହିଭଳି । ମନେହୁଏ ଔପନିବେଶକତା ମାନସିକତା ତାଙ୍କ ଶିରା ପ୍ରଶିରାରେ ଭରିରହିଛି ବୋଧହୁଏ ଆଧୁନିକ ଯୁଗର କାନ୍ତିଚନ୍ଦ୍ର ଭଟ୍ଟଚାର୍ଯ୍ୟ । କାନ୍ତିଚନ୍ଦ୍ର ଭଟ୍ଟଚାର୍ଯ୍ୟ ଓଡିଆ ଭାଷାକୁ ସ୍ବତନ୍ତ୍ର ଭାଷା ବୋଲି ଗ୍ରହଣ କରୁ ନଥିଲେ ଏଠି ଶ୍ରୀ ମିଶ୍ର ଆଦିବାସୀଙ୍କ ଲିପିକୁ ସ୍ବତନ୍ତ୍ର ଲିପି ବୋଲି ଗ୍ରହଣ କରୁ ନାହାନ୍ତି ।
ସମଗ୍ର ଭାରତୀୟ ଭାଷା ପାଇଁ ଯେଉଁ ଗୋଟିଏ ଲିପିର ମନ୍ତ୍ରଣା ଦେଇଛନ୍ତି ସେ କଥା ଆଦିବାସୀ ମାନଙ୍କୁ ନ କହି ଓଡିଆ ଭାଷା ପାଇଁ ଦେବନଗରୀ ଲିପିରେ ଗୋଟିଏ ଓଡିଆ ପତ୍ରିକା ପ୍ରକାଶ କରନ୍ତୁ ଆଉ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ।
ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଓଡିଆ ସାହିତ୍ୟର ଜଣେ ବୟଜ୍ୟଷ୍ଠ ସୁପ୍ରତିଷ୍ଠିତ ଲେଖକ, ଓଡିଶାପାଇଁ ଅନେକ ସମ୍ମାନ ଓ ଗୌରବ ଆଣିଛନ୍ତି । ଆଦିବାସୀ ବହୁଳ ସୀମାନ୍ତ ଅଞ୍ଚଳରେ ଓଡିଶାର ଆଦିବାସୀ ଏବଂ ଅଣଆଦିବାସୀ ମଧ୍ୟରେ ସମ୍ପର୍କ ଖୁବ ଉଚ୍ଚକୋଟୀର । ସମଗ୍ର ଓଡିଶାରେ ରହୁଥିବା ଆଦିବାସୀ ମାନଙ୍କ ମଧ୍ୟରେ ଓଡିଆ ଭାଷା ପାଇଁ ମଧ୍ୟ ଯଥେଷ୍ଟ ସମ୍ମାନ ଅଛି। ସଦାବେଳେ ନିଜ ଭାଷା ସଂସ୍କୃତିକୁ ଯେତେବି ଭଲ ପାଇବା ସ ତେବେ ଶ୍ରୀ ମିଶ୍ର ଭଳି ସାରସ୍ବତ ସାଧକଙ୍କ ଲେଖାରେ ଯଦି ଅନ୍ୟ ଭାଷା ପ୍ରତି ସଙ୍କୀର୍ଣ୍ଣ ଚିନ୍ତାଧାରା ତଥା ରୁଗଣ ମାନସିକତା ପ୍ରତିଫଳିତ ହୁଏ ଏହା ସୀମାନ୍ତ ଅଞ୍ଚଳରେ ଭାଷାଗତ ବୈଷମ୍ୟ ତଥା ଆଞ୍ଚଳିକବାଦ ସୃଷ୍ଟି ହେବାର ଖୋରାକ ଯୋଗାଏ।
ସେ ଯେଭଳି ସମଗ୍ର ଆଦିବାସୀ ସମାଜର ଭାଷାଗୁଡିକ ପାଇଁ ଇର୍ଷା ଏବଂ ଦ୍ବେଷ ପରିପୂର୍ଣ୍ଣ ଲେଖାଟେ ପ୍ରକାଶ କଲେ ସେ ନିଜକୁ ଗୋଟିଏ ନିମ୍ନ ଶ୍ରେଣୀର ଲେଖକ ବୋଲି ପ୍ରତିପାଦିତ କଲେ।
Comments
Post a Comment