ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ ଦର୍ଶନର ଅନନ୍ୟ କୃତୀ ଲାକଚାର୍ ସେରେଞ୍ଜ୍


ମାଗ୍ ଏୟାୟ ଆମି, ସାନ୍ତାଳୀ ସମ୍ପ୍ରଦାୟରେ ମାଘ ମାସର ସପ୍ତମ ଦିବସ , ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାପରାୟଣ ଦିବସ ।  ୧୯୮୨ ମସିହା ଫେବୃଆରୀ ୧ ରେ ସମଗ୍ର ସାନ୍ତାଳୀ ସମାଜକୁ
ଶୋକାତୁର କରି ଇହଲିଳା ସମ୍ବରଣ କରିଥିଲେ କିନ୍ତୁ  ଯେଭଳି ତାଙ୍କ ଜନ୍ମଦିନକୁ ବୈଶାଖ ପୁର୍ଣିମାରେ ପାଳନ କରାଯାଏ ସେହିଭଳି  ତାଙ୍କ ମହାପରାୟଣ ଦିବସଟି “ମାଗ୍ ଏୟାୟ ଆମି” ଦିନ ପାଳନ କରାଯାଏ । 

ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ଭାଷା ସାହିତ୍ୟ ଜଗତର ଏକ ଅନନ୍ୟ ଔଜ୍ଜଲ୍ୟମୟ  ତାରକା , ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପି ଉଦ୍ଭାବନ କରି ସାନ୍ତାଳୀ ଭାଷା ନୂଆ ସଂଜୀବନୀ ପାଇଛି ସତ କିନ୍ତୁ ସେ ସାହିତ୍ୟ ଏବଂ ଜୀବନ ଦର୍ଶନର ସୃଜନଶୀଳତାରେ  ଏମିତି କୌଣସି ଦିଗକୁ ଛାଡିନାହାନ୍ତି ଯାହାକୁ ପାଥେୟ କରି ଗୋଟିଏ ସମାଜ ତାର ସୁରକ୍ଷିତ  ଭବିଷ୍ୟତ ପାଇଁ  ସୁଦୃଢ ଭିତ୍ତିଭୂମିଟିଏ ପକେଇ ପାରିବ ।  ଅଲ୍ ଚେମେଦ୍, ପାରସି ପୋହା, ପାରସି ଇତୁନ, ଏଲଖା (ଗଣିତ), ରନଳ୍ (ବ୍ୟାକରଣ) , ଅତନଃ (ଭୂଗୋଳ ) ଆଦି ପୁସ୍ତକ ମାଧ୍ୟମରେ ସେ ସାନ୍ତାଳୀ ଭାଷାରେ  ମୌଳିକ ଶିକ୍ଷାକୁ ଦୃଢିଭୂତ କରିଥିବା ବେଳେ ,  “ହିତାଲ” ଏବଂ “ବାଖେଣ ”  ମାଧ୍ୟମରେ ସାନ୍ତାଳୀ ସମାଜ ମଧ୍ୟରେ ଧର୍ମୀୟ ଜାଗରଣ ସୃଷ୍ଟି କରିଛନ୍ତି ।  “ବିଦୁ ଚାନ୍ଦାନ” ଏବଂ “ ଖେରଓ୍ବାଳ ବୀର” ତାଙ୍କର ଦୁଇଟି କାଳଜୟୀ ନାଟକ, ଉଭୟ ନାଟକ ମାଧ୍ୟମରେ ସାନ୍ତାଳୀ ସମାଜ ମଧ୍ୟରେ ଏକତା  ଏବଂ ଜାତୀୟତାବାଦ ସୃଷ୍ଟିକରିବାପାଇଁ ଚେଷ୍ଟା କରିଥିବାବେଳେ  ବିଦୁ ଚାନ୍ଦାନ ନାଟକରେ ଗୁରୁ ଗୋମକେ ଲିପି ସମ୍ବନ୍ଧରେ ପାଇଥିବା ଅଲୌକିକ ପ୍ରେରଣାର ଆଭାସ ମିଳେ , ବିଦୁ ଏବଂ ଚାନ୍ଦାନ ତାଙ୍କ  ସ୍ବପ୍ନ ପ୍ରେରିତ ଈଶ୍ବର , ନାଟକର ନାୟକ “ବିଦୁ” ଏବଂ  ନାୟିକା “ଚାନ୍ଦାନ” ମାଧ୍ୟମରେ “ଚାୟ ଗାଳ” ଏବଂ “ଚାମ୍ପାଗାଳ” ମାଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଏକ ଅଭୂତପୂର୍ବ ପ୍ରୟାସ ଗୁରୁ ଗୋମକେ କରିଛନ୍ତି। ଆଜିର ଦିନରେ ପ୍ରତ୍ୟକ ସାନ୍ତାଳୀ ଶିକ୍ଷାନୁଷ୍ଠାନରେ ବିଦ୍ୟାଅର୍ଜନ ପାଇଁ “ବିଦୁ ଚାନ୍ଦାନ -ନେହର ”(ସ୍ତୁତି) ପ୍ରାର୍ଥନା କରାଯାଏ ।  ସେହିଭଳି “ଖେରଓ୍ବାଳ ବୀର” ନାଟକରେ ମାନବ ଏବଂ ଦାନବର ମହାଯୁଦ୍ଧରେ ନାୟକ “ଖେରଓ୍ବାଳ ବୀର” ଏବଂ ନାୟିକା “କାଜୋଲ”  ମାଧ୍ୟମରେ ସତ୍ୟ ଏବଂ ନ୍ୟାୟର ବିଜୟକୁ ପ୍ରତିପାଦିତ କରିଛନ୍ତି ।  ଏକଦା ସମୟ ଥିଲା ଯେକୌଣସି ସ୍ଥାନରେ ଏ ଦୁଇଟି ନାଟକ ମଞ୍ଚସ୍ଥ ହେଲେ ଲୋକ ମାନଙ୍କର ଅସମ୍ଭବ ସମାଗମ ହେଉଥିଲା ।  


ଗୁରୁ ଗୋମକେଙ୍କ ସୃଷ୍ଟି ମଧ୍ୟରେ  ଲାକଚାର୍ ସେରେଞ୍ଜ୍ ସବୁଠାରୁ କ୍ଷୁଦ୍ରତମ ହେଲେ ମଧ୍ୟ ଜୀବନ ଦର୍ଶନର ଶ୍ରେଷ୍ଠ ଓ  ଅନନ୍ୟ  କୃତୀ ବୋଲି ମନେ ହୁଏ ।  ଏଥିରେ  ଥିବା ପ୍ରତ୍ୟକ ଧାଡି ପ୍ରତ୍ୟକ ଶବ୍ଦ ସାମାଜିକ ଚେତନାର ଶକ୍ତିଶାଳି ଆବେଦନ ରହିଛି   ।  ମୁଁ ଏ ପ୍ରବନ୍ଧ ମାଧ୍ୟମରେ ଗୁରୁ ଗୋମକେଙ୍କର ଗୋଟିଏ ଭାଷା ଓ ଜାତି ପ୍ରତି ଥିବା ତାଙ୍କ ଇଚ୍ଛା ଅଭିଳାଶ ଚିନ୍ତାଚେତନାର ଓଡିଆ ଭାବାର୍ଥକୁ ସମସ୍ତଙ୍କ ସମ୍ମୁଖକୁ ଆଣିବାକୁ ପ୍ରୟାସ କରିଛି ।  ଲାକଚାର୍ ସେରେଞ୍ଜରେ ଗୁରୁ ଗୋମକେ ଯେଉଁ ଶବ୍ଦ ମାଧୁର୍ଯ୍ୟ ସହ ନିଜ ଆବେଗକୁ ବ୍ୟକ୍ତ କରିପାରିଛନ୍ତି ବୋଧହୁଏ ତାହା ଅନ୍ୟକୋହି କରିବା ଅସମ୍ଭବ, ଗୁରୁଗୋମକେ ଭଳି ବ୍ଯକ୍ତିତ୍ବର ଲେଖାକୁ ଭାବାନୁବାଦ କରିବାର ପ୍ରଚେଷ୍ଟା ପାଇଁ ଯେତିକି ସୌଭାଗ୍ୟ ମନେ ହୁଏ, ଅନୁବାଦକୁ ନ୍ୟାୟ ଦେଇନପରିଲେ ସେତିକି ଅପରାଧୀ ବୋଲି ଆହୁରି ବେଶୀ ମନେ ହୁଏ ।  ସେଥିପାଇଁ ସମସ୍ତଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥୀ ।  


ଲାକଚାର୍ ସରେଞ୍ଜରେ ସମଗ୍ର ସାନ୍ତାଳୀ  ସମାଜକୁ “ଏଁଗାଞ୍ଜକ  ଆପୁଞ୍ଜକ ବାବୁକ ମାୟକ” କହି ସମ୍ବୋଧନ କରିଛନ୍ତି , ସାନ୍ତାଳୀ ଭାଷାରେ ଏଁଗାଞ୍ଜକ  ଆପୁଞ୍ଜକ ଶବ୍ଦ ପିତୃ ତୁଲ୍ୟ ବ୍ୟକ୍ତି ପାଇଁ ସଂମ୍ମାନ ଏବଂ  ବାବୁକ ମାୟକ ଶବ୍ଦ ସାନ ମାନଙ୍କ ପାଇଁ ଶ୍ରଦ୍ଧା ଓ ଭଲ ପାଇବାକୁ ବୁଝାଏ ।  ସମଗ୍ର ଲାକଚାର୍ ସେରେଞ୍ଜ ରେ ତାଙ୍କର ସମାଜ ପ୍ରତି ଭଲ ପାଇବା ଦୃଶ୍ୟାମାନ ହୁଏ ୤


ଗୁରୁ ଗୋମକେ ଗୋଟିଏ ଜାତିର ଅସ୍ତିତ୍ଵ ପାଇଁ ଭାଷାର ଅସ୍ତିତ୍ଵକୁ ଗୁରୁତ୍ଵ ଦେଇଛନ୍ତି, ଗୋଟିଏ ଭାଷା ଏବଂ ସେହି ଭାଷାରେ  ଶିକ୍ଷାର ପ୍ରଚାଳନ ରେହିଁ ସେ ଜାତିରେ ଥିବା  ବ୍ୟକ୍ତି ତଥା ସମାଜର ଅସ୍ତିତ୍ଵ ବଞ୍ଚି ରହେ, ଯେଉଁ ସମାଜ ରେ ବ୍ୟକ୍ତି ତାର ଭାଷା, ଲିପି, ଧର୍ମ ହଜେଇ ବସେ ସେ ସମାଜ ଓ ବ୍ୟକ୍ତିର ସତ୍ତା  ଲୋପ ପାଏ । 


 ସନ୍ତାଳୀରେ ଏହାକୁ କହିଛନ୍ତି:

  “ଅଲ ମେନାଃ ତାମା , ରଳ୍ ମେନାଃ ତାମା,  ଆମ ହଁ ମେନାମ୍ ,

 ଅଲ ଏମ ଆଦଲେରେ ରଳ୍ ଏମ୍ ଆଦଲେ. ଧରମ ଏମ ଆଦଲେରେ ଆମ ହମ ଆଦଃ”


ସମାଜରେ ବ୍ୟକ୍ତିର ଭୂମିକା ଉପରେ ମଧ୍ୟ ଗୁରୁତ୍ବ ଦେଇ ଉଦାହରଣ ସହ କହିଛନ୍ତି  ଯେଭଳି ଗୋଟିଏ ପରିବାରର ପରିଚାଳନାରେ ପରିବାର ସଦସ୍ୟ ମାନଙ୍କର ଭୂମିକା ଗୁରୂତ୍ଵପୂର୍ଣ ଠିକ ସେହି ଭଳି ଗୋଟିଏ ସମାଜର ଉନ୍ନତି ନିମନ୍ତେ ସମାଜର ପ୍ରତ୍ୟକ ବ୍ଯକ୍ତିର ସହଯୋଗ ଅପରିହାର୍ଯ୍ୟ , ପରିବାରକୁ ସଜାଡିବାପାଇଁ ଯେଭଳି ବାହାରୁ କେହି ଆସିବେ ନାହିଁ ଠିକ୍ ସେହିଭଳି ନିଜ ସମାଜକୁ ଗଢିବା ପାଇଁ ମଧ୍ୟ କେହି ବାହ୍ୟ  ସମାଜରୁ ଆସିବେ ନାହିଁ ନିଜ ସମାଜର ପରିବର୍ତ୍ତନ ପାଇଁ ନିଜ ସମାଜର ବ୍ୟକ୍ତି ବିଶେଷ ମାନଙ୍କର ସହଯୋଗ  ଆବଶ୍ୟକ ।   

ତେଣୁ ସେ କହିଛନ୍ତି :

ଅମାଃ ଅଳାଃ ଲାଗିଦ, ଆମାଗ ଦୁଆର ଲାଗିଦ ଜାହାୟ ଦ ବାୟ ଞ୍ଜେଲେଦ, ଆମଗେମ୍ ଞେଲେଦ୍, 

ଆମାଗ୍ ଜାତି ଲାଗିଦ୍, ଆମାଗ୍ ଧରମ୍ ଲାଗିଦ୍ ଜାହାୟ ଦ ବାୟ ଞ୍ଜେଞ୍ଜେଲ ଆମଗେ ଞ୍ଜେଲ ମେ ।”


ତାଙ୍କୁ ମନେ ହେଇଛି ସାନ୍ତାଳ ଜାତି ଏବଂ ସମାଜ ମୃତ ପ୍ରାୟ ଏ  ଜାତି ଏବଂ ଧର୍ମକୁ ବଞ୍ଚେଇବାକୁ ହେଲେ ଏହାର ଭିତ୍ତି ଭୂମିକୁ ଦୃଢ କରିବାକୁ ହେବ ।  ଧରାପୃଷ୍ଠରେ ମାନବ ସେବାରେ ପ୍ରକୃତି ତାର ଧର୍ମ ବଦଳାଇ ନାହିଁ, ଏ ମାଟି, ଚନ୍ଦ୍ର, ଈଶ୍ବର ସମସ୍ତେ ସ୍ଥିର ମାତ୍ର ମଣିଷର ନକରାତ୍ମକ ପରିବର୍ତନ ପାଇଁ ସମାଜର ଦୁର୍ଗତି ଘଟିଛି  ଆଜିର ଯୁଗରେ ମଣିଷ ହିଂସା ଓ ଦ୍ଵେଷରେ କାଳତିପାତ କରୁଛି ।  ଗୋଟିଏ ମଣିଷର ଉନ୍ନତି ସୁଖସ୍ଵାଚ୍ଛନ୍ଦ୍ୟ ଆଉଗୋଟିଏ ମଣିଷ ଅସହ୍ୟ ମନେକରୁଛି , ଉନ୍ନତି ପଥରେ ଥିବା ମଣିଷକୁ କିଭଳି ତଳକୁ ଖସେଇ ଦିଆଯିବ ସେ ମନ୍ଦ ଚିନ୍ତା ସମସ୍ତଙ୍କୁ ଘେରି ରହିଛି ।  ଏଭଳି ସ୍ଥଳରେ ସମାଜର ଉନ୍ନତି ଅସମ୍ଭବ । 


ସେଥି ପାଇଁ କହିଛନ୍ତି:

“ଜାତି ଧରମ୍ ଟଲ ମଲ ଗୁଜୁଗ୍ ଲେକା ଞ୍ଜେଲଗ 

ଚେତେ ତେଦ ଜିଓ୍ବି ଜାତି ଦବନ ଦହୟା?

ଜାତି ବ ବେରେଦା ଧରମ ବ ଦଳହୟା 

ଅନା ତେଗେ ଜିଓ୍ବି ଜାତି ଦବନ ଦହୟା” 



 ମଣିଷ ଜୀବନରେ ଧାନ ଚାଉଳରେ ଯେତେ ପ୍ରାଚୁର୍ଯ୍ୟତା ଥିଲେ ମଧ୍ୟ ସେଥିରେ ସୁଖ ନଥାଏ ।  ନକରାତ୍ମକ ଚିନ୍ତା ରେ ସଦା ମଣିଷକୁ ରୋଗ ବୈରାଗ୍ୟ ଗ୍ରାସ କରେ ।   ଏ ସବୁଠାରୁ  ବର୍ତ୍ତିବା ପାଇଁ ଗୁରୁଗୋମକେ ପୂର୍ବ ପୁରୁଷ ମାନଙ୍କର ପଥକୁ ଅନୁସରଣ କରିବା ପାଇଁ  କହିଛନ୍ତି , ସେମାନଙ୍କ ଭଳି ଅତ୍ୟନ୍ତ ସରଳ, ଧାର୍ମିକ ଜୀବନରେ ମନନିବେଶ କରିବା ଉଚିତ , ନିଜସ୍ବ ଜାତି ଧର୍ମରେ ଶ୍ରଦ୍ଧା ରଖିବା ସହ ଜଗତ କଲ୍ୟାଣ ପାଇଁ ମନାସିବା  ଉଚିତ ।   ଏହିଠାରେ ହିଁ ସାନ୍ତାଳ ସମାଜର ଧର୍ମ “ସାର୍ନା” ଧର୍ମ ଏବଂ ପ୍ରକୃତିର ଉପାସକ ବୋଲି ସ୍ପଷ୍ଟ କରିଛନ୍ତି ।   ଘରେ ହେଉ ଅଥବା ଜାହିରାରେ ହେଉ  ସମସ୍ତେ ଗୋଟିଏ କୁଟୁମ୍ଭ ଭଳି ଚଳିବା ଉଚିତ ।  ସମାଜର ପ୍ରତ୍ୟକ କାର୍ଯ୍ୟରେ ସେ କୃଷି କାର୍ଯ୍ୟ ହେଉ କିମ୍ବା ନୃତ୍ୟଗୀତ ହେଉ ସବୁ ସୁଖରେ ଦୁଃଖରେ, ପ୍ରାଚୁର୍ଯ୍ୟରେ ଅଥବା ଅଭାବରେ  ପରସ୍ପରକୁ ସହଯୋଗ କରିବା ଉଚିତ ସମସ୍ତେ  ସମସ୍କନ୍ଧ ହୋଇ କାର୍ଯ୍ୟ କରିବା ଉଚିତ । 


ଲାକଚାର୍ ସେରେଞ୍ଜର ଦ୍ଵିତୀୟାର୍ଦ୍ଧରେ ମାତୃଭାଷାରେ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ଏହା ସହ  ନିଜ ଲିପିକୁ ଭଲ ପାଇବାପାଇଁ ପ୍ରବର୍ତ୍ତାଇଛନ୍ତି ।  ଏଥିରେ ସାନ୍ତାଳୀ ସମାଜରେ ଶିକ୍ଷାର ବିକାଶ ପାଇଁ ତାଙ୍କର ପ୍ରଚେଷ୍ଟା ଏବଂ ସେଥିପାଇଁ ସମାଜକୁ ତାଙ୍କର ଆକୁଳ ନିବେଦନ ଜଣା ପଡେ ।  ସ୍ପଷ୍ଟ ଶବ୍ଦରେ କହୁଛନ୍ତି “କେବଳ ଏ ଲିପି ପାଇଁ ନାନା ବାଧା ବିଘ୍ନ ଦେଇ ମୁଁ ଆଜି ବାର୍ଦ୍ଧକ୍ୟରେ ଲିପିକୁ ମୁଁ ଯୋଗ୍ୟ ସ୍ଥାନରେ ପହଞ୍ଚାଇଛି ,..........ମୋର ଅନୁରୋଧ ଏହାକୁ ବଞ୍ଚେଇରଖ ଶିକ୍ଷାର ପଥରେ ଅଗ୍ରସର ହୁଅ ନଚେତ ଅସ୍ତିତ୍ଵ ଲୋପ ହେବା ସୁସନିଶ୍ଚିତ ୤ ମାତୃଭାଷାରେ ଶିକ୍ଷାର ଅଭାବ ଥିବାରୁ ଶୈଶବରୁ ତାଙ୍କୁ ବ୍ୟଥିତ କରିଥିବାର କଥା ମଧ୍ୟ କହିଛନ୍ତି । 



 ଈଶ୍ବରଙ୍କ ଆଶୀର୍ବାଦ କ୍ରମେ ମଣିଷ ଜନ୍ମ ମିଳିଥାଏ , ତେଣୁ ମଣିଷ ଜନ୍ମ ନେଇ ମଣିଷ ଭଳି ବଞ୍ଚିବା ଉଚିତ ।  ମଣିଷ ଭଳି ବଞ୍ଚିବାକୁ ହେଲେ ନିଜକୁ , ସମାଜକୁ ସୁସ୍ଥ ରଖିବାକୁ  ହେବ ।  ବ୍ୟକ୍ତି ଏବଂ ସମାଜର ସୁସ୍ଥତା ପାଇଁ ଶିକ୍ଷା ହିଁ ସର୍ବୋଚ୍ଚ ଉପାଦାନ ଏବଂ ଶିକ୍ଷା ମାତୃଭାଷାରେ ହେବା  ଉଚିତ ।  ଯେଉଁ ଜାତିର ନିଜ ମାତୃଭାଷାରେ ନୁଜସ୍ଵ ଲିପିରେ ଶିକ୍ଷାର ବ୍ୟବସ୍ଥା ନାହିଁ ସେ ଜାତି ସହଜରେ ଛିଡା ହେଇପାରେନାହିଁ ।  


ତେଣୁ ସେ କୁହନ୍ତି:

“ଅକା ଜାତି ରେଗେ ଆଜାଃ

ଆଜ୍ ଞ୍ଜୁତୁମ ଅଲ ବାନୁଃ

ଅନା ଜାତି ଦ ବାୟ ତିଂଗୁ କେ”



ସାନ୍ତାଳୀ ସମାଜର ତତ୍କାଳୀନ ଦୁରାବସ୍ଥା ପାଇଁ ଅଶିକ୍ଷାକୁ ଦାୟୀ କରିଛନ୍ତି, ବିଶେଷକରି ନିଜସ୍ବ ଲିପି ଏବଂ ନିଜସ୍ବ ଭାଷାରେ ଶିକ୍ଷାର ବ୍ୟବସ୍ଥା ନଥିବାରୁ ସାନ୍ତାଳୀ ସମାଜର ସ୍ଥିତି ଦୟନୀୟ  ବୋଲି କହିଛନ୍ତି ।  ବିଶ୍ବର ସମସ୍ତ ବିକଶିତ ଜାତି ନିଜସ୍ଵ ଲିପି ଏବଂ ନିଜସ୍ବ ଭାଷାରେ  ଶିକ୍ଷା ପାଇଁ ବିଶ୍ବରେ ତାଙ୍କର ପରିଚୟ ସୃଷ୍ଟି ହେଇପାରିଛି କିନ୍ତୁ ସାନ୍ତାଳ ସମାଜ ଶିକ୍ଷାର ଅଭାବରୁ  ମଣିଷ ଭଳି ସମ୍ମାନର ସହ ବଞ୍ଚି ପାରୁନାହିଁ।  ଶିକ୍ଷାର ଅବହେଳାରେ ସମସ୍ତେ ଅବହେଳିତ ଏବଂ ବିଚ୍ଛିନ୍ନ ଭାବରେ ଅଛନ୍ତି , ଶିକ୍ଷା ସୁଦୃଢ ହେଲେ ଗୋଟିଏ ଦୌଡ଼ିରେ ବନ୍ଧା ହେବା ଭଳି ସମସ୍ତଙ୍କ ମଧ୍ୟରେ ଏକତା ସୃଷ୍ଟି ହେବ , ଶିକ୍ଷା ସମସ୍ତଙ୍କୁ ଅନ୍ଧାରରୁ ଅଲୋକକୁ ଅଗ୍ରସର କରାଇବ । 


ତାଙ୍କ ଭାଷାରେ :

“ଅଲ୍ ଦ ବାରାହି କାନା , ଆବୟ ତଲ ଦହ ବନା, 

ମାର୍ସାଲ୍ ଡାହାର ତେୟ୍ ଅର୍ ଇଦି ବନା ।”



 ବିଶେଷକରି  ପିତା ମାତା  ଅଭିଭାବକ ମାନଙ୍କୁ କହିଛନ୍ତି ଭବିଷ୍ୟତ ପିଢି ମାନଙ୍କ ପାଇଁ ଚିନ୍ତା କରିବାକୁ ପଡିବ, ଶିଶୁମାନେ ହେଲେ ସମାଜର ଭବିଷ୍ୟତ ତାଙ୍କୁ ଅବହେଳା କରିହେବ ନାହିଁ,  ସେମାନଙ୍କୁ ଶିକ୍ଷାରେ ସୁଯୋଗ ଦେଇ ତାଙ୍କ ଜୀବନକୁ ଆଲୋକିତ କରିବାକୁ ପଡିବ ତାଙ୍କୁ ମଣିଷ ଭଳି ଗଢିବାକୁ ହେବ , ସେମାନଙ୍କ ପାଖରେ ଏ ଜାତିର ଶକ୍ତି ରହିଛି ୤


ତାହାକୁ ସେ ଲେଖିଛନ୍ତି:


“ଗିଦ୍ରା କ ତାବ , ବାବ ଢିଲାଉ କଓ୍ବା, ଅଲଃ ପଳହନ ଡାହାର ବ ପାଁଜା ଅଚ କ,

 ଉନକୁ ଗେ ତାବ , ଆବରିନ ଆଗାମ କ, ଉନକୁ ଚେତାନରେ ମେନାଃ , ଜାତି ଦାଳେ ଦ ।”


ନିଜ ଭାଷା ନିଜ ଜାତି ପାଇଁ ନିଜ ମନ ଭିତରେ ସଂକୀର୍ଣ୍ଣ ମନୋଭାବ ନଆଣିବା ପାଇଁ କହିଛନ୍ତି , ଯେଭଳି ଅଗଣାର ଫୁଲ ଗଛଟିଏ ଅଗଣାର ଶୋଭାବର୍ଦ୍ଧନ କରେ , ଯେଭଳି ପୋଖରୀରେ ପଦ୍ମଫୁଲ ପୋଖରୀର ଚତୁର୍ଦିଗକୁ ସରସ ସୁନ୍ଦର କରେ ସେହିଭଳି ଶିକ୍ଷା ଗୋଟାଏ ଜାତିର ଶୋଭା ବର୍ଦ୍ଧନ କରେ, ତାର ଚତୁର୍ଦିଗକୁ ସରସ ସୁନ୍ଦର କରେ  ତେଣୁ ଏହାକୁ ଭଲ ପାଇବାକୁ ହେବ । 


ଏହାକୁ ସାନ୍ତାଳୀ ରେ କହିଛନ୍ତି:

 “ଆବ ଆଖଳା ବାହା ଦାରେ ଜତନ୍ ଗେୟାବ ଦାୟନା

ଆଖଳାୟ ସଭାୟା

ଆବ ଜାତି ରେନାଂ ଅଲ ହଁ ଜିଳିଦ ଜାଳାଂ

ଦୁଲାଳ ଗେୟାବନ ଦାୟ ନା ଜାତି ମାର୍ଶାଲା ”...


…. “ଆବ ଜାତି ରେନାଂ ଅଲ ହଁ ରିଲା ମାଲା

ହଳ କ ରରଳ ରେହଁ ଦାୟନା ଅଲ ଦଲାଂ ଚେଦ ଗେ”। 



ପୁଣି କହିଛନ୍ତି ଯେଉଁ ବ୍ଯକ୍ତିର ଆଖି ନାହିଁ ତାକୁ ଚତୁର୍ଦିଗ ଅନ୍ଧକାର ଦେଖାଯାଏ, ସେହିଭଳି ଯେଉଁ ଜାତିରେ ଶିକ୍ଷା ନାହିଁ ଲିପି ନାହିଁ ସେ ସମାଜରେ ମଧ୍ୟ ଆଲୋକ ନାହିଁ  ।  ଗୋଟିଏ ବୃକ୍ଷର ବିନାଶରେ ସେ ବୃକ୍ଷରେ ବସା ବାନ୍ଧିଥିବା ଶୁଆ ମଧ୍ୟ ଲୁହ ଝରାଏ ଯେତେବେଳେ ଅଶିକ୍ଷା ଯୋଗୁଁ ଗୋଟିଏ ଜାତିର ସଂସ୍କୃତି, ପରମ୍ପରା, ଧର୍ମର ବୃକ୍ଷ ମରିବାକୁ ବସିଲାଣି ସେତେବେଳେ ଆମମାନଙ୍କ ଆଖିରେ କାହିଁକି ଲୁହ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ।   



ସମଗ୍ର ଭାରତ ବର୍ଷରେ ଅାସାମ ବିହାର ବେଙ୍ଗଲ ଓଡ଼ିଶା ରେ ଏତେ ସଂଖ୍ୟାରେ ସାନ୍ତାଳୀ ଲୋକ ବସବାସ କରନ୍ତି , ସବୁ ସ୍ଥାନରେ ସମାନ ସଂସ୍କୃତି ପରମ୍ପରା ଚଳଣି ତେଣୁ ସମାଜର ଶିକ୍ଷା ପାଇଁ ମଧ୍ୟ ସମସ୍ତଙ୍କୁ ଏକତା ଆଣିବା  ପାଇଁ କହିଛନ୍ତି ।  ଗୁରୁ ଗୋମକେଙ୍କ ସମୟରେ ସାନ୍ତାଳୀ ଭାଷାରେ ଶିକ୍ଷାକୁ ହେୟଜ୍ଞାନ କରାଯାଉଥିଲା ଅନେକ ସମୟରେ ସମାଲୋଚନା ମଧ୍ୟ କରାଯାଉଥିଲା, ତେଣୁ ସମାଲୋଚନା ଏବଂ ଲୋକ୍ୟ ଲଜ୍ୟାକୁ ଭୟ ନକରି ନିଜ ଭାଷାକୁ ଭଲ ପାଉଥିବା ମଣିଷଙ୍କୁ ପଢିବା ପାଇଁ ନିବେଦନ କରିଛନ୍ତି, ନିଜ ଭାଷା ଲିପି ଠାରୁ ଶୁଦ୍ଧ ଏବଂ ପବିତ୍ର କିଛି  ହେଇ ନପାରେ ।  ନିଜ ଭାଷା ଓ ଲିପିକୁ ଗୁରୁ ଗୋମକେ ସୁଗନ୍ଧମୟ ମଧୁର ରସ ଥିବା ଫୁଲ ସହ ତୁଳନା କରିଚ୍ଛନ୍ତି ଯାହାର ସୁଗନ୍ଧରେ  ଯେଭଳି ମନକୁ ପ୍ରଫୁଲ୍ଲିତ କରେ ଯାହାର ରସକୁ ପାନ କଲେ ସେ ଭାଷାଟି ଅମରତ୍ଵ ଲାଭ କରେ  ଏ କଥା କହି ଲାକଚାର ସେରେଞ୍ଜ୍ ଶେଷ କରିଛନ୍ତି ୤


ଯଥା: 

“କଚା ବାଳଗେ ମାଲି ବାହା 

ସ ମା ଦଁଗୟ ଦଁଗୟ ଦାୟ ନା ଧି ମନେ ହୁଲାସ,

ପାରସି ବାହା ରାସା ସିବିଲ ଗେ ସଁଧାଣଗେ

ଚେପେଜ ଲେଖାନ ଗେ ଦାୟ ନା ଜାତି ଜିୟାଳା




ଗୁରୁ ଗୋମକେଙ୍କର ପ୍ରତ୍ୟକ କୃତି କାଳଜୟୀ ହୋଇଥିବା ବେଳେ , ଲାକଚାର ସେରେଞ୍ଜରେ ଗୁରୁ ଗୋମକେ ସାନ୍ତାଳ ସମାଜ ପ୍ରତି ଥିବା ତାଙ୍କ ସ୍ବପ୍ନ , ଆକାଂକ୍ଷା, ପ୍ରତିଶୃତି ବଦ୍ଧତା ପ୍ରତିଫଳିତ ହୁଏ । ସଂଯୋଗ କ୍ରମେ ଆଜି ଭାରତର ରାଷ୍ଟ୍ରପତି ଭଳି ଗରୀମାମୟ ଆସନକୁ ଜଣେ ସାନ୍ତାଳ ସମାଜର ବ୍ୟକ୍ତି ଅଳଙ୍କୃତ କରିଛନ୍ତି ଠିକ ସେହି ଭଳି ଦୁଇଦୁଇଟି ରାଜ୍ୟରେ ସାନ୍ତାଳୀ ମୁଖ୍ୟମନ୍ତ୍ରୀ ଅଛନ୍ତି କିନ୍ତୁ ସାନ୍ତାଳୀ ଭାଷାରେ ଶିକ୍ଷା ଯାହା ଗୁରୁ ଗୋମକେଙ୍କର ଯେଉଁ ସ୍ବପ୍ନ ଥିଲା ତାହା ବର୍ତ୍ତମାନ ସୁଦ୍ଧା ଅସମ୍ପୁର୍ଣ୍ଣ ରହିଛି ।  ଓଡ଼ିଶାରେ କ୍ଷମତା ପରିବର୍ତ୍ତନ ହେଇଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି, ସାନ୍ତାଳ ସମାଜ ପକ୍ଷରୁ ଏବର୍ଷ ସାନ୍ତାଳୀ ଭାଷାର ଲିପି ଅଲଚିକି ଉଦ୍ଭାବନର ଶତବାର୍ଷିକ ପାଳନ କରାଯାଉଛି  , କେଜି  ଠାରୁ ପିଜି  ଯାଏ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ସାନ୍ତାଳୀ ଭାଇ ଭଉଣୀଙ୍କର ଅନେକ ଦିନର ଦାବି  ରହିଛି ।  ଏହାକୁ କାର୍ଯ୍ୟକାରୀ କରାଇବାହିଁ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳୀ ହେବ । 



 




Comments